ତାତିରୁ ଏବେ ନିସ୍ତାର ନାହିଁ

ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର, ୧୫/୦୩: ଆସନ୍ତାକାଲି ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍ ରୁ ତ୍ରାହି ନାହିଁ। ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏ ନେଇ ପୂର୍ବାନୁମାନ କରିଛି ଆଇଏମଡି।

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଜି ୬ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ଆଇଏମଡି।

ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବା ବେଳେ ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରରେ ଗରମ ଅନୁଭୂତ ହେଉଥିବା ବେଳେ ରାତିରେ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସୂତ୍ରରୁ ପ୍ରକାଶ। ଏବେ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଭୁବନେଶ୍ୱରରେ ୩୭ ଡିଗ୍ରୀ ସେଲସିୟସ, ଚାନ୍ଦବାଲି ୩୫.୪ ଡିଗ୍ରୀ, ବାଲେଶ୍ୱରରେ ୩୪.୬ ଡିଗ୍ରୀ ଓ ପୁରୀରେ ୩୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।