ମୟୁରଭଞ୍ଜ, ୧୫/୦୩: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟାଙ୍ଗାଶୋଳା ଗ୍ରାମରେ ସାମାନ୍ୟ ଯୁକ୍ତିତର୍କରୁ ପତ୍ନୀକୁ ହତ୍ୟା କରିଛି ଜଣେ ସ୍ୱାମୀ। କାଠ ବାଡ଼ିରେ ବାଡ଼େଇ ବାଡ଼େଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ପତ୍ନୀ ସବିତା ଭକ୍ତଙ୍କୁ ତାଙ୍କ ସ୍ୱାମୀ ଚରଣ ଭକ୍ତ ହତ୍ୟା କରିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ୬ ବର୍ଷ ତଳେ ଦୁହିଁଙ୍କ ପ୍ରେମ ବିବାହ ହୋଇଥିଲା। ସେମାନଙ୍କର ୫ ବର୍ଷର ଦୁଇଟି ସନ୍ତାନ ଅଛନ୍ତି। ଗତ କାଲି ରାତିରେ ଏକ ସାମାନ୍ୟ କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ ରାଗରେ ଉତକ୍ଷିପ୍ତ ହୋଇ ଚରଣ ଭକ୍ତ ତାଙ୍କ ପତ୍ନୀଙ୍କୁ କାଠ ଖଣ୍ଡରେ ପିଟି ପିଟି ହତ୍ୟା କରିଥିଲେ। ପରେ ଏହି ଘଟଣା ବିଷୟରେ କେହି ନ ଜାଣିପାରିବା ଭଳି ଅଭିନୟ କରି ସକାଳେ ପତ୍ନୀଙ୍କ ମୃତଦେହ ପାଖରେ କାନ୍ଦୁଥିଲା ଅଭିଯୁକ୍ତ। ତେବେ ପଡ଼ୋଶୀ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ତାଙ୍କର ଏହି କାରନାମା ପଦାକୁ ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।