ଦୁର୍ଘଟଣା ନେଇଗଲା ଗୋଟିଏ ପରିବାରର ୩ ଜୀବନ
ଏକ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୧୫/୦୩: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଯୋଡା ଅଞ୍ଚଳରେ ଶନିବାର ଏକ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସାନାନୀ ଗ୍ରାମର ଅଇବନ ପ୍ରଧାନ, ତାଙ୍କ ପତ୍ନୀ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଳ ପ୍ରଧାନ।
ଏହି ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଇବନ ପ୍ରଧାନ ତାଙ୍କ ପତ୍ନୀ ଓ ପୁଅଙ୍କୁ ନେଇ ବାଇକ୍ ଯୋଗେ ଝିଅଘର ଦୋଲିତାକୁ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଡୋଳିତା ଛକ ନିକଟରେ ରିମୁଳି ପଟୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାପା ଅଇବନଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ଚମ୍ପୁଆ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ସେହିପରି ପୁଅ ମଙ୍ଗଲଙ୍କ କେନ୍ଦୁଝର ଡାକ୍ତରଖାନାକୁ ନେବା ସମୟରେ ମୃତ୍ୟୁ ହୋଇଛି।
ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।