ଭୁବନେଶ୍ୱର, ୨୧/୦୩: ଆସନ୍ତା ୨୨ ତାରିଖରେ ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗ ଦେବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ହୋଇଥିଲେ ହେଁ ଏଥିରେ ଯୋଗ ଦେଇନାହାନ୍ତି ନବୀନ। ସେ ନିଜେ ନ ଯାଇ ତାଙ୍କର ଦୁଇ ପ୍ରତିନିଧିଙ୍କୁ ପଠାଇଛନ୍ତି।
ଗତ ୧୧ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ଦ୍ଦେଶରେ ସାଂସଦ ଦୟାନିଧି ମାରନ ଓ ମନ୍ତ୍ରୀ ଟିଆରବି ରାଜା ନବୀନ ପଟ୍ଟନାୟକଙ୍କୁ ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଏହି ବୈଠକରେ ନବୀନ ନିଜେ ଯୋଗ ନ ଦେଇ ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ପ୍ରତିନିଧିତ୍ଵ କରିବା ପାଇଁ ପଠାଇଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ ଚେନ୍ନାଇଠାରେ ହେବାକୁ ଥିବା ବୈଠକରେ ୭ଟି ରାଜ୍ୟ ଯୋଗ ଦେବେ। ଏହି ବୈଠକରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ବିରୁଦ୍ଧରେ ଭାଜପାର ବିରୋଧୀ ଦଳ ଗୁଡିକୁ ନିମନ୍ତ୍ରଣ କରିଥିଲେ ଷ୍ଟାଲିନ।
୨୦୨୫ରେ ଦେଶରେ ଜନଗଣନା ପରେ ୨୦୨୬ରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରୀ ୨୦୨୮ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଥିଲା। ଦେଶର ଜନସଂଖ୍ୟା ବୃଦ୍ଧିକୁ ଆଧାର କରି ଲୋକସଭା ଓ ବିଧାନସଭା ଆସନର ସଂଖ୍ୟା ବଢିବ। ଲୋକସଭା ଓ ଭୌଗାଳିକ ସ୍ଥିତିକୁ ନେଇ ସୀମା ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଥିଲା। ତେବେ ଏହାକୁ ନେଇ କିଛି ରାଜନୈତିକ ଦଳ ବିରୋଧ କରିଥିଲେ। ଏହି ପ୍ରକ୍ରିୟାକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସ୍ୱତନ୍ତ୍ର ବୈଠକ ଡ଼ାକିଥିଲେ।