ଭୁବନେଶ୍ୱର, ୨୧/୦୩: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିବା ପାଇଁ ସୁପାରିଶ କରିଥିଲେ।
୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ। ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା। ବର୍ତ୍ତମାନ ଜଷ୍ଟିସ ଟଣ୍ଡନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ, ଜଷ୍ଟିସ ଟଣ୍ଡନ ୧୯୬୪ ମସିହା ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।