ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବର ରାଜା ବିଶ୍ୱବାସୁ ପୀଠ ପରିଦର୍ଶନ କରିବେ

ଭୁବନେଶ୍ୱର, ୨୩/୦୩: ଆସନ୍ତା ୨୪ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏ ନେଇ ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ନୟାଗଡ଼ର କଣ୍ଟିଲୋ ଯିବେ। ସେଠାରେ କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କରିବେ।

ଏହା ପରେ ନୟାଗଡ଼ର କାଳିଆପଲ୍ଲୀଠାରେ ଥିବା ଶବର ରାଜା ବିଶ୍ୱବାସୁ ପୀଠ ପରିଦର୍ଶନ କରିବେ। ସେଠାରେ ବିଶ୍ୱଶାନ୍ତି ମହାଯଜ୍ଞର ସମାପନୀ ଉତ୍ସବରେ ଯୋଗ ଦେବା ସହ ବିଶ୍ୱବାସୁ ଶବର ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ସନ୍ଧ୍ୟାରେ ଭୁବନେଶ୍ୱର ଫେରି ରାଜଭବନରେ ରାତି ବିତାଇବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୟାଗଡ଼ରେ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରାୟ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ୬ ଜଣ ଏସପି ପାହ୍ୟାର ଅଧିକାରୀ ପ୍ରସ୍ତୁତି ତଦାରଖ କରିବେ। ରାଷ୍ଟ୍ରପତି ପ୍ରାୟ ୩ ଘଣ୍ଟା ନୟାଗଡ଼ରେ ରହିବେ ତେଣୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ନୟାଗଡ଼ ଏସପି ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାପାଳ ନିଜେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି।