ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ‘ଦି ଏଣ୍ଡ’

ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ।

୪ ବର୍ଷ ୬ ମାସର ଘଟଣାବଳୀ ଥିଲା ଏହିପରି

ମୁମ୍ବାଇ, ୨୩/୦୩: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୪ ବର୍ଷ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛି। ଏହି ମାମଲାରେ ତଦନ୍ତ ଆଉ ଆଗକୁ ନ ବଢ଼ାଇ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମାମଲାର ୪ ବର୍ଷ ୬ ମାସ ୧୫ ଦିନ ପରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ। ଏହି ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି। ସୁଶାନ୍ତଙ୍କୁ ହତ୍ୟା କରା ଯାଇନଥିଲା କିମ୍ବା ଏଥିରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ କୌଣସି ହାତ ନଥିବା ଦର୍ଶାଇଛି ସିବିଆଇ। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇନଥିଲେ ରିୟା। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଭଳି ରିୟାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳିନି।

ସେପଟେ ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ମ୍ୟାନେଜର ଦିଶା ସାଲିଆନ(୨୮)ଙ୍କ ମୃତ୍ୟୁକୁ ସଂଯୋଗ ବୋଲି କୁହାଯାଇଥିଲା। ଉଭୟ ଘଟଣା ପରସ୍ପର ସହ ଜଡ଼ିତ ବୋଲି ଦାବି କରାଯାଇଥିଲା ଏବଂ ବିବାଦ ଉପୁଜିଥିଲା।

 

ଘଟଣା ଥିଲା କିଛି ଏହିପରି:-

୧. ଜୁନ୍ ୮, ୨୦୨୦- ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନ ମଲାଡ ସ୍ଥିତ ବାସଭବନରେ ଛାତରୁ ଡେଇଁ ମୃତ୍ୟୁବରଣ କରିଥିଲେ‌।

୨. ଜୁନ୍ ୧୪, ୨୦୨୦- ବାନ୍ଦ୍ରା ସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା‌।

ମହାରାଷ୍ଟ୍ରର କୁପର ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା।

୩. ଜୁନ୍ ୧୫, ୨୦୨୦- ସୁଶାନ୍ତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା।

ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା।

୪. ଜୁନ୍ ୧୬, ୨୦୨୦- ସୁଶାନ୍ତ ସିଂଙ୍କ ବାପା କ୍ରିଷ୍ଣା କିଶୋର ସିଂ ଏବଂ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଥିଲା।

୫. ଜୁନ୍ ୧୮, ୨୦୨୦- ବିହାରର ପାଟନାରେ ସୁଶାନ୍ତଙ୍କ ଅସ୍ଥି ବିସର୍ଜନ କରାଯାଇଥିଲା।

୬. ଜୁନ୍ ୨୬, ୨୦୨୦- ୫ ଜଣିଆ ଡ଼ାକ୍ତରୀ ଟିମଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ ହୋଇଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ସୁଶାନ୍ତଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ନଥିଲା। ସେ ଆତ୍ମହତ୍ୟା ହିଁ କରିଛନ୍ତି।

୭. ଜୁଲାଇ ୨୫, ୨୦୨୦- ଏହା ଭିତରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ବଲିଉଡ୍ ଇଣ୍ଡଷ୍ଟ୍ରି ଭିତରୁ ୫୬ ଜଣଙ୍କ ବୟାନ ରେକର୍ଡ କରାଯାଇ ସରିଥିଲା।

୮. ଜୁଲାଇ ୨୬, ୨୦୨୦- ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁମତି ଦେବାକୁ ଚିଠି ଲେଖିଥିଲେ।

୯. ଜୁଲାଇ ୨୮, ୨୦୨୦- ସୁଶାନ୍ତ ସିଂଙ୍କ ବାପା କ୍ରିଷ୍ଣା କିଶୋର ସିଂଙ୍କ ଅଭିଯୋଗ ଦ୍ୱାରା ବିହାରରୁ ୪ ଜଣିଆ ପୋଲିସ ଟିମ୍ ମୁମ୍ୱାଇ ଆସିଥିଲେ। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଓ ସୁଶାନ୍ତଙ୍କଠାରୁ ୧୫ କୋଟି ଟଙ୍କା ହଡ଼ପ କରିଥିବା କେକେ ସିଂ ଅଭିଯୋଗ କରିଥିଲେ।

୧୦. ଜୁଲାଇ ୨୯, ୨୦୨୦- ଅଭିଯୋଗରେ ତଦନ୍ତ ଭାର ବିହାର ପୋଲିସ ଠାରୁ ମୁମ୍ବାଇ ପୋଲିସକୁ ଦେବା ପାଇଁ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିଲେ।

୧୧. ଜୁଲାଇ ୩୦, ୨୦୨୦- ମହାରାଷ୍ଟ୍ରର ତତ୍କାଳୀନ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ସିବିଆଇ ଓ ଇଡି ତଦନ୍ତ ପାଇଁ ଦାବି କରିଥିଲେ।

୧୨. ଜୁଲାଇ ୩୧, ୨୦୨୦- ସୁଶାନ୍ତ ସିଂଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖାଣ୍ଡେଙ୍କ ବୟାନ ରେକର୍ଡ କରାଯାଇଥିଲା।

୧୩. ଅଗଷ୍ଟ ୪, ୨୦୨୦- ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।

ଦିଶା ସାଲିଆନ ଓ ସୁଶାନ୍ତ ସିଂଙ୍କ ହତ୍ୟା କରାଯାଇଥିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଦାବି କରିଥିଲେ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା କହିଥିଲେ।

୧୪. ଅଗଷ୍ଟ ୫, ୨୦୨୦- ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

୧୫. ଅଗଷ୍ଟ ୬, ୨୦୨୦- କେକେ ସିଂଙ୍କ ଅଭିଯୋଗକୁ ଭିତ୍ତି କରି ସିବିଆଇ ଏଫଆଇଆର ରୁଜୁ କରିଥିଲା।

ଅଭିନେତା ସୁରଜ ପଞ୍ଚୋଲି ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାରେ କୌଣସି ସମ୍ପୃକ୍ତି ନଥିବା କହିଥିଲେ।

୧୬. ଅଗଷ୍ଟ ୧୮, ୨୦୨୦- ସୁଶାନ୍ତ ସିଂଙ୍କ ଭଉଣୀ ପ୍ରିୟଙ୍କା ତାଙ୍କୁ ଅସଦାଚରଣ କରିଥିବା ରିୟା ଚକ୍ରବର୍ତ୍ତୀ ଅଭିଯୋଗ କରିଥିଲେ।

୧୭. ସେପ୍ଟେମ୍ୱର ୨୦୨୦- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମନି ଲଣ୍ଡରିଂ ଓ ଡ୍ରଗ୍ସ କେସରେ ତଦନ୍ତ ଆରମ୍ଭ କରିଥିଲେ।

ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା କେସରେ ରିୟାଙ୍କୁ ଗିରଫ କରାଯାଇଥିଲା।

୧୮. ଅକ୍ଟୋବର ୨୦୨୦- ରିୟା ୨୭ ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା।

୧୮. ଡିସେମ୍ବର ୨୦୨୩- ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଥିଲା।

୧୯. ମାର୍ଚ୍ଚ ୨୦, ୨୦୨୫- ଦିଶା ସାଲିଆନଙ୍କ ହତ୍ୟା ହୋଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ ଏବଂ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।

୨୦. ମାର୍ଚ୍ଚ ୨୨, ୨୦୨୫- ସିବିଆଇ ସୁଶାନ୍ତ ସିଂଙ୍କ ମୃତ୍ୟୁ ତଦନ୍ତ ଘଟଣାରେ କ୍ଲୋଜର ରିପୋର୍ଟ ଦାଖଲ କରିଥିଲା।