ବଢୁଛି ‘ଅଗ୍ନିପଥ’ ହିଂସା: ବିହାରରେ ପୁଣି ଜଳିଲା ଟ୍ରେନ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ସେନା ବାହିନୀରେ ନିଯୁକ୍ତି ପାଇଁ ସରକାରଙ୍କ ଏହି ନୂଆ ଯୋଜନାକୁ ବିରୋଧ କରି ପ୍ରଥମେ ବିହାରରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ବ୍ୟାପିଛି। ବିହାର ଓ ଉତ୍ତରପ୍ରଦେଶରେ ପୁଣି ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳିଦେଇଛନ୍ତି । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀ ଟ୍ରେନ୍ ପୋଡ଼ି ଦେଇଛନ୍ତି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ତେବେ ଅଗ୍ନିପଥ ଯୋଜନାରେ ସେନାବାହିନୀରେ ନିଯୁକ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ ଜାରି ରହିଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଗୁରୁବାର ଅନେକ ରାଜ୍ୟରେ ଯୁବକମାନେ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଥାନରେ ରେଳ ରୋକ ମଧ୍ୟ କରିଥିଲେ ଓ ଏହା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟାଇଥିଲେ ।

ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବା ପାଇଁ ବୟସସୀମାକୁ କେନ୍ଦ୍ର ସରକାର ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି । ବିହାରରେ ଚାଲିଥିବା ହିଂସକ ପ୍ରଦର୍ଶନ ମଧ୍ୟରେ ବିଦ୍ୟାର୍ଥୀମାନେ ଜମ୍ମୁତବୀ ଗୁଆହାଟି ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି । ସୂଚନା ମୁତାବକ ଟ୍ରେନ୍ର ଦୁଇଟି ବଗି ଜଳି ପାଉଁଶ ହୋଇଯାଇଛି । ସେହିପରି ବିହାରର ସମସ୍ତିପୁରାରେ ବିହାର ସମ୍ପର୍କ କ୍ରାନ୍ତି ଟ୍ରେନ୍କୁ ଅଟକାଇ ପ୍ରବଳ ପଥର ମାଡ଼ କରିଥିଲେ । ହିଂସାକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ୨୨ଟି ଟ୍ରେନକୁ ବାତିଲ କରାଯାଇଛି ବୋଲି ସୂଚନା ମିଳିଛି ।