ବାୟୁସେନାର ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଜଣେ ଆହତ ପାଇଲଟ ମିଳିଲେ; ଆଉ ଜଣଙ୍କୁ ଚାଲିଛି ଖୋଜା

ନୂଆଦିଲ୍ଲୀ, ୦୨/୦୪: ଗୁଜୁରାଟର ଜାମନଗରରେ ଘଟିଛି ବିମାନ ଦୁର୍ଘଟଣା। ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କୁ ଆହତ ଅବସ୍ଥାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କୁ ଖୋଜା ଚାଲିଛି ବୋଲି ପୁଲିସ ଅଧୀକ୍ଷକ ପ୍ରେମସୁଖ ଦେଲୁ ସୂଚନା ଦେଇଛନ୍ତି।

ଏହି ଦୁର୍ଘଟଣା ସଂକ୍ରାନ୍ତରେ ପ୍ରଥମେ ଜାମନଗର ଜିଲ୍ଲାପାଳ ଖବର ପାଇଥିଲେ। ଏହା ପରେ ପୋଲିସ ପ୍ରଶାସନ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଥିଲେ। ଜାମନଗରରୁ ୧୨ କିଲୋମିଟର ଦୂର ଏକ ଗାଁରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ସ୍ଥାନୀୟ ବାସିନ୍ଦାଙ୍କ କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି। ଉକ୍ତ ଲଢ଼ୁଆ ବିମାନଟି ପ୍ରଶିକ୍ଷଣ ମିଶନରେ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡ଼ିଛି।