ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଏକ ପ୍ରମୁଖ ରାଜନୈତିକ ଦଳ। ସାରା ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପି ଆଜି ୪୬ ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ବିରୋଧୀଙ୍କ ‘ସାଇନ୍ ବୋର୍ଡ’ ପାର୍ଟିରୁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଉଭା ହେବା ପାଇଁ ବିଜେପିକୁ କିଛି କମ୍ କସରତ କରିବାକୁ ପଡ଼ିନାହିଁ। ହିନ୍ଦୁ ଜାତୀୟତାବାଦୀକୁ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନରୁ ମୂଳଦୁଆ ସ୍ଥାପନ କରିଛି।
ବିଜେପିର ଉତ୍ପତ୍ତି ୧୯୫୧ ମସିହାରେ ଭାରତୀୟ ଜନ ସଂଘରୁ ହୋଇଥିଲା। ଯାହାର ପ୍ରତିଷ୍ଠାତା ଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ। ଆରଏସଏସର ରାଜନୈତିକ ଶାଖା ଭାବରେ ଏକ ଦଳ ଗଠନ ହୋଇଥିଲା। ୧୯୭୫-୧୯୭୭ ର ଜରୁରୀକାଳୀନ ପରିସ୍ଥିତି ପରେ ଜନସଂଘ ଅନ୍ୟ କେତେକ ରାଜନୈତିକ ଦଳ ସହିତ ମିଶି ଜନତା ପାର୍ଟି ଗଠନ କରିଥିଲା। ୧୯୭୭ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସକୁ ହରାଇ ସରକାର ଗଠନ କରିଥିଲା। ହେଲେ, ତିନି ବର୍ଷ ରହିବା ପରେ ଭାଙ୍ଗି ଯାଇଥିଲା ଜନତା ପାର୍ଟି।
ଏହା ପରେ ୧୯୮୦ ମସିହାରେ ଜନତା ପାର୍ଟି ଭାଙ୍ଗି ଜନସଂଘର ସଦସ୍ୟମାନେ ମିଶି ଭାରତୀୟ ଜନତା ପାର୍ଟି ଗଠନ କରିଥିଲେ। ୧୯୮୪ ସାଧାରଣ ନିର୍ବାଚନରେ ମାତ୍ର ୨ଟି ଆସନରେ ବିଜୟୀ ହୋଇ ଦଳକୁ ବଞ୍ଚାଇ ରଖିବାକୁ ଜୋରସୋର କସରତ କରୁଥିଲା। ସେହି ସମୟରେ ଉତ୍ତରପ୍ରଦେଶର ବିବାଦୀୟ ରାମ ଜନ୍ମଭୂମିକୁ ନେଇ ଚାଲିଥିବା ଆନ୍ଦୋଳନକୁ ମୁଖ୍ୟ ପ୍ରସଙ୍ଗ କରିଥିଲା।
୧୯୯୬ ସାଧାରଣ ନିର୍ବାଚନରେ ବହୁ ରାଜ୍ୟରେ ବିଜୟ ଲାଭ କରିବା ସହ ଜାତୀୟ ନିର୍ବାଚନରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଥିଲା। ତେବେ ସଂସଦର ନିମ୍ନ ସଦନ ତଥା ଲୋକସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ମାତ୍ର ୧୩ ଦିନ କ୍ଷମତାରେ ରହି ସରକାର ଭାଙ୍ଗିବାକୁ ପଡ଼ିଥିଲା।
୧୯୯୯ ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି ପ୍ରଥମ ଥର ପାଇଁ ୫ ବର୍ଷ ପୂର୍ଣ୍ଣ ସରକାର ଗଠନ କରିଥିଲା ବିଜେପି। ୨୦୦୪ ନିର୍ବାଚନରେ ପୁଣି ପରାଜୟ ବରଣ କରିଥିଲା ବିଜେପି। ଏହା ପରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିପୁଳ ମାତ୍ରାରେ ଭୋଟ ପାଇ ବିଜୟ ଲାଭ କରି ସରକାର ଗଠନ କରିଥିଲା। ଏହାପରେ କ୍ରମାଗତ ୨୦୧୯ ଓ ୨୦୧୪ରେ ବିଜୟର ସ୍ୱାଦ ଚାଖିଥିଲା ବିଜେପି।
ସରକାରରେ ରହିବା ପରେ ବିଜେପି ବହୁ ହିନ୍ଦୁତ୍ୱ ସୁରକ୍ଷା ପାଇଁ ହେଉ କି ନାରୀ ସଶକ୍ତିକରଣ ହେଉ ସବୁ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବିଜେପିର ହିନ୍ଦୁତ୍ୱ ବିଚାରଧାରା ସରକାରଙ୍କ ଅନେକ ନୀତିରେ ପ୍ରତିଫଳିତ ହୋଇଛି। ରାମ ମନ୍ଦିର ନିର୍ମାଣ, ଧାରା ୩୭୦ ଉଚ୍ଛେଦ, ଓ ତିନି ତଲାକ ଉଚ୍ଛେଦ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।
ବିଜେପିର ଲୋକପ୍ରିୟତା ପଛରେ ଏହାର ମୁଖ୍ୟ କାରଣ ହେଉଛି ଅର୍ଥନୈତିକ ନୀତି ଏବଂ ଉତ୍ତମ ଶାସନ ଉପରେ ଧ୍ୟାନ ଦେବା। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା “ମେକ୍ ଇନ୍ ଇଣ୍ଡିଆ” ଏବଂ “ଡିଜିଟାଲ୍ ଇଣ୍ଡିଆ” ଭଳି ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିଛି। ଏହି ନୀତିଗୁଡିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଛି, ନୂତନତ୍ୱକୁ ପ୍ରୋତ୍ସାହିତ କରିଛି ଏବଂ ଚାକିରି ସୁଯୋଗ ସୃଷ୍ଟି କରିଛି, ଯାହା ଭାରତର ଆର୍ଥିକ ବିକାଶରେ ସହାୟକ ହୋଇଛି।
ଆଜି ବିଜେପିର ସଫଳତା ସାରା ବିଶ୍ବରେ ଗୁଞ୍ଜରିତ ହେଉଛି। ବିଶ୍ୱର ସର୍ବବୃହତ ଏବଂ ଶକ୍ତିଶାଳୀ ରାଜନୈତିକ ଦଳ ଭାବେ ଉଭା ହୋଇଛି ବିଜେପି। ସେହିପରି ବିଜେପି ନେତୃତ୍ଵାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାରା ବିଶ୍ବରେ ସବୁଠାରୁ ଲୋକପ୍ରିୟ ରାଜନେତା ହୋଇଛନ୍ତି।