ରାମନବମୀରେ ‘ପାମ୍ବନ’ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ
ନୂଆଦିଲ୍ଲୀ, ୦୬/୦୪: ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାମନବମୀ ଉପଲକ୍ଷେ ତାମିଲନାଡୁର ରାମେଶ୍ବରମରେ ୫୫୦ କୋଟି ଟଙ୍କାରେ ନବନିର୍ମିତ ରେଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
୨.୦୮ କିଲୋମିଟର ଲମ୍ବ ଏହି ସେତୁର ମଧ୍ୟଭାଗ ୭୨.୫ ମିଟର ଏବଂ ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୨୨ ମିଟର ରହିଛି। ଏହି ସେତୁରେ ଟ୍ରେନ୍ ଘଣ୍ଟା ପ୍ରତି ୮୦ କିମି ବେଗରେ ଚାଲିପାରିବ। ସେତୁଟି ଏକ ସ୍ୱୟଂଚାଳିତ ଇଲେକ୍ଟ୍ରୋ-ମେକାନିକାଲ୍ ଲିଫ୍ଟ ସିଷ୍ଟମ ସହିତ ନିର୍ମିତ, ଯାହା ସେତୁକୁ ୧୭ ମିଟର ପର୍ଯ୍ୟନ୍ତ ଉପରକୁ ଉଠାଇପାରିବ, ଯାହା ଦ୍ୱାରା ସମୁଦ୍ରରେ ଜାହାଜଗୁଡ଼ିକ ସହଜରେ ଯାତାୟାତ କରିପାରିବେ।
୧୯୧୪ ମସିହାରେ ବ୍ରିଟିଶ ଇଞ୍ଜିନିୟରମାନଙ୍କ ଦ୍ୱାରା ପ୍ରଥମ ସମୁଦ୍ର ସେତୁର ନିର୍ମାଣ କରାଯାଇଥିଲା। ୧୦୦ ବର୍ଷରୁ ଉର୍ଦ୍ଧ୍ବ ହୋଇଯାଇଥିବା ଏହି ସେତୁରେ କଳଙ୍କ ଲାଗି ଦୁର୍ବଳ ହୋଇଯାଇଥିଲା। ତେଣୁ ୨୦୨୨ରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ୨୦୧୯ରେ ଭାରତ ସରକାର ଆଧୁନିକ ଢାଞ୍ଚାରେ ସେତୁ ନିର୍ମାଣ ପାଇଁ ଅନୁମୋଦନ କରିଥିଲେ। ନଭେମ୍ବର ୨୦୧୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଷ୍ଟେନଲେସ ଷ୍ଟିଲରେ ତିଆରି ହୋଇଛି ଏହି ସେତୁ। ସମୁଦ୍ରର ଲୁଣିଆ ପାଣିରୁ ରକ୍ଷା କରିବା ଏବଂ କଳଙ୍କିତ ନ ହେବା ପାଇଁ ଏଥିରେ ପଲିସିଲୋକ୍ସେନ ଆବରଣ ଦିଆଯାଇଛି।
ପୌରାଣିକ କାହାଣୀରେ ଆଧାରିତ ଏହି ସେତୁର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ରାମାୟଣରେ ରାମେଶ୍ୱରମ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିବା ରାମ ସେତୁ ନିର୍ମାଣ ବିଷୟରେ ବର୍ଣ୍ଣନା କରାଯାଇଛି।