ପାଣ୍ଡିଆନଙ୍କ ପ୍ରଶଂସାରେ ନବୀନ

ହୋଟେଲରେ ମିଟିଙ୍ଗ ମୋର ନାପସନ୍ଦ

ପ୍ରଭାତ ତ୍ରିପାଠୀ ଦଳର କିଛି ନୁହଁନ୍ତି

ଭୁବନେଶ୍ୱର, ୦୯/୦୪: ପୂର୍ବତନ ୫-ଟି ଅଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ନେତା ଭିକେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ୱାକଫ ବିଲ୍ ସପକ୍ଷରେ କିଛି ସାଂସଦ ଭୋଟ ଦେଇଥିବା ବେଳେ ଅନ୍ୟ କିଛି ସାଂସଦ ଭୋଟ ବିପକ୍ଷରେ ଭୋଟର ଦେଇଛନ୍ତି। ଯାହା ପରେ ରାଜ୍ୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନ ବାଜି। ପାଣ୍ଡିଆନ ବିରୋଧୀ ନେତା ଏ ପଛରେ ସିଧାସଳଖ ପାଣ୍ଡିଆନଙ୍କ ହାତ ଥିବା ଅଭିଯୋଗ କରିଥିବା ବେଳେ ଆଉ କିଛି ନେତା ଏହାକୁ ଖଣ୍ଡନ କରିଛନ୍ତି। ଏହାରି ଭିତରେ କିଛି ନେତା ପରସ୍ପର ମଧ୍ୟରେ ବୈଠକ କରୁଛନ୍ତି। ଆଜି ମଧ୍ୟ ପଟିଆରେ ଏକ ହୋଟେଲରେ କିଛି ବରିଷ୍ଠ ଓ ଯୁବ ବିଜେଡି ନେତା ମେଳି ହୋଇଥିଲେ। ଲଗାତାର ଶଙ୍ଖ ଭବନରେ ମଧ୍ୟ ବୈଠକ ହେଉଛି‌।

ଦଳୀୟ ନେତାଙ୍କ ବୟାନ ବାଜି ପରେ ଦୀର୍ଘ ସମୟ ଧରି ଚୁପ୍ ରହିବା ପରେ ଆଜି ଏହା ଉପରେ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମକୁ ନବୀନ କହିଛନ୍ତି ଯେ, ମୁଁ ଏଠାରେ କହିବାକୁ ଚାହେଁ ଯେ ହୋଟେଲରେ ଦଳୀୟ ସଦସ୍ୟଙ୍କ ମିଟିଙ୍ଗକୁ ମୁଁ ନାପସନ୍ଦ କରେ। ବୈଠକ ପାଇଁ ଦଳୀୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଅଛି। ଯାହା ଏକ ବିରାଟ ସ୍ଥାନ। ସେଠାରେ ସେମାନଙ୍କୁ ବୈଠକ କରିବାକୁ କୁହାଯାଇଛି ଏବଂ ସେମାନେ ତାହା କରିବା ଉଚିତ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଚିଟ୍ ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବାରୁ ସେ ଜେଲ ଯାଇଥିଲେ। ତେଣୁ କିଛି ବର୍ଷ ପୂର୍ବରୁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଦଳର ସେ କିଛି ବି ନୁହଁନ୍ତି। ମୁଁ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଭି. କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ମଧ୍ୟ ବହୁତ ଭଲ କାମ କରିଛନ୍ତି। ତେଣୁ, ତାଙ୍କୁ କୌଣସି ବିଷୟରେ ସମାଲୋଚନା କରିବା ଉଚିତ୍ ନୁହେଁ। ସେ ୧୦ ମାସ ପୂର୍ବରୁ ବିଜେଡ଼ିରୁ ଇସ୍ତଫା ଦେଇ ସାରିଛନ୍ତି। ଦଳ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ନବୀନ କହିଛନ୍ତି।