ଆମେରିକା-ଚୀନ ଟ୍ରେଡ ୱାର: ପରସ୍ପର ଲଦିଲେ ଟାରିଫ୍ ପେ ଟାରିଫ୍

କାଲି ଚୀନ ଉପରେ ୧୦୪% ଟାରିଫ୍ ଲଗାଇଥିଲା ଆମେରିକା

ଆମେରିକା ଉପରେ ୮୪% ଟାରିଫ୍ ଲଗାଇଲା ଚୀନ

ନୂଆଦିଲ୍ଲୀ, ୦୯/୦୪: ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ୱାର ଦେଖିବାକୁ ମିଳିଛି। ଉଭୟ ପରସ୍ପର ଉପରେ ଲଦିଛନ୍ତି ଟାରିଫ୍ ପେ ଟାରିଫ୍। ଗତ ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକା ଚୀନରୁ ସାମଗ୍ରୀ ଆମଦାନୀ ଉପରେ ୧୦୪% ଟାରିଫ୍ ଲଗାଇଥିବା ବେଳେ ଆଜି ପ୍ରତିଶୋଧ ପରାୟଣ ହୋଇଉଠିଛି ଚୀନ। ଆମେରିକାରୁ ସାମଗ୍ରୀ ଆମଦାନୀ ଉପରେ ଆଜି ୮୪% ଟାରିଫ୍ ଲଗାଇଛି ଚୀନ। ଆସନ୍ତାକାଲି ଠାରୁ ଏହି ବର୍ଦ୍ଧିତ ଟାରିଫ୍ ଲାଗୁ କରିବା ଚୀନ।

ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେସିପ୍ରୋକାଲ ବା ଯେସାକୁ ତେସା ନୀତିରେ ବିଭିନ୍ନ ଦେଶ ଉପରେ ଟାରିଫ୍ ଲାଗୁ କରିଥିଲେ। ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ଚୀନ ଉପରେ ୩୪% ଟାରିଫ୍ ଲାଗୁ କରିଥିଲା। ଏହା ପରେ ପୁଣି ଗତ ୮ ତାରିଖରେ ୧୦୪% ବର୍ଦ୍ଧିତ ଟାରିଫ୍ ଲଗାଇଥିଲା ଆମେରିକା। ଆଜି ପ୍ରତିଶୋଧ ପରାୟଣ ହୋଇ ଚୀନ ଆମେରିକା ଉପରେ ୮୪% ଟାରିଫ୍ ଲାଗୁ କରିଛି।

ଚୀନ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବା ସହ ଆମେରିକୀୟ କଂପାନିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏକ ନୂତନ ଅଭିଯୋଗ ଦାଖଲ କରିଛି। ଏହା ବିଶ୍ୱ ବାଣିଜ୍ୟ ଯୁଦ୍ଧକୁ ଆହୁରି ବଢ଼ାଇ ଦେଇଛି।

ଚୀନ ଅଭିଯୋଗ କରିଛି ଯେ, ଆମେରିକାର ବର୍ଦ୍ଧିତ ଟାରିଫକୁ ନେଇ ସଦସ୍ୟ ରାଷ୍ଟ୍ର ମାନେ ପ୍ରଭାବିତ ହୋଇଥିବା ବେଳେ ଆମେରିକାର ଏହି ବେପରୁଆ ପଦକ୍ଷେପକୁ ଦୃଢ଼ ବିରୋଧ କରିଛି ଚୀନ।