ପଶ୍ଚିମବଙ୍ଗରେ ୱାକଫ ନିଆଁ: ବିକ୍ଷୋଭ ପ୍ରଦର୍ଶନ ଜାରି

ରାଜ୍ୟରେ ଲାଗୁ ହେବ ନାହିଁ ୱାକଫ ସଂଶୋଧନ ଆଇନ: ମମତା ଶୁଣାଇଲେ କଠୋର ବାଣୀ

କୋଲକାତା, ୧୨/୦୪: ୱାକଫ ସଂଶୋଧନ ବିଲକୁ ନେଇ ପଶ୍ଚିମବଙ୍ଗରେ ତାତି। ରାଜ୍ୟରେ ୱାକଫ ସଂଶୋଧନ ଆଇନ ଲାଗୁ ହେବାକୁ ଦେବେ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବିଭିନ୍ନ ସଂପ୍ରଦାୟଗୁଡ଼ିକୁ ଧର୍ମ ନାମରେ କୌଣସି ଅଧର୍ମୀୟ ଆଚରଣ ନ କରିବାକୁ ନିବେଦନ କରିଛନ୍ତି।

ମମତା କହିଛନ୍ତି, “ସମସ୍ତ ଧର୍ମର ଲୋକଙ୍କୁ ମୋର ଆନ୍ତରିକ ଅନୁରୋଧ, ଦୟାକରି ଶାନ୍ତ ରୁହନ୍ତୁ, ସଂଯମ ରୁହନ୍ତୁ। ଧର୍ମ ନାମରେ କୌଣସି ଅଧର୍ମୀୟ ଆଚରଣ କରନ୍ତୁ ନାହିଁ। ପ୍ରତ୍ୟେକ ମଣିଷ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗା ସୃଷ୍ଟି କରନ୍ତୁ ନାହିଁ। ଯେଉଁମାନେ ଦଙ୍ଗା ସୃଷ୍ଟି କରୁଛନ୍ତି ସେମାନେ ସମାଜକୁ କ୍ଷତି ପହଞ୍ଚାଉଛନ୍ତି। ମନେରଖନ୍ତୁ, ଆମେ ସେହି ଆଇନ ତିଆରି କରିନାହୁଁ ଯାହାକୁ ନେଇ ଅନେକ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର ଏହି ଆଇନ ପ୍ରସ୍ତୁତ କରିଛନ୍ତି। ତେଣୁ ଆପଣ ଚାହୁଁଥିବା ଉତ୍ତର କେନ୍ଦ୍ର ସରକାରଙ୍କ ଠାରୁ ମାଗିବା ଉଚିତ୍। ଆମେ ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଛୁ – ଆମେ ଏହି ଆଇନକୁ ସମର୍ଥନ କରୁନାହୁଁ। ଆମ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ ନାହିଁ ବୋଲି ଏକ୍ସରେ ପୋଷ୍ଟ କରି ଏହା କହିଛନ୍ତି। ସେହିପରି ଦଙ୍ଗା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୱାକଫ ସଂଶୋଧନ ବିଲ୍ ସଂସଦରେ ପାରିତ ହେବା ପରେ ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ। ସେଠାରେ ଏହି ବିଲକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେବା ସହ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ମାଡ ଭଳି ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଏ ନେଇ ଦକ୍ଷିଣ ୨୪ ପ୍ରଗଣା, ମୁର୍ଶିଦାବାଦ, ମାଲଦା ଓ ହୁଗୁଳିରେ ଆନ୍ଦୋଳନ କରିଛନ୍ତି ବିକ୍ଷୋଭକାରୀ। ଘଟଣାସ୍ଥଳରୁ ଦୃଶ୍ୟ ଦେଖିବାକୁ ମିଳିଛି ଯେ ଅନେକ ଗାଡି ଜଳିଯାଇ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ପୋଲିସ କର୍ମଚାରୀମାନେ ଆ‌ହତ ହୋଇଛନ୍ତି। ୧୧୦ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକରେ ବହୁ ମାତ୍ରାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।