ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

ଆଜି ରାଜଧାନୀ ଭୁବନେଶ୍ୱରର ୭୭ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀର ମାନ୍ୟତା ପାଇଥିଲା ଭୁବନେଶ୍ୱର। ୧୯୪୬ ମସିହାରେ ଭୁବନେଶ୍ୱରର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋକଏନ୍ସ ବର୍ଗର”। ଏହା ପରେ ଆରମ୍ଭ ହୋଇଥିଲା ଭୁବନେଶ୍ୱର ନିର୍ମାଣ କାର୍ଯ୍ୟ। ୧୯୪୮ ଏପ୍ରିଲ୍ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା ଭୁବନେଶ୍ୱର।

ତେବେ ଭୁବନେଶ୍ୱର ଜଙ୍ଗଲ ମଧ୍ୟରେ ଘେରି ରହିଥିବା ହେତୁ ବନ୍ୟଜନ୍ତୁଙ୍କ ପ୍ରଭାବ ଥାଏ। ତେଣୁ ୧୯୬୭ ମସିହା ଯାଏଁ ମଧ୍ୟ କଟକରେ ରାଜଧାନୀ ରହିଥିଲା। ସେତେବେଳେ ପ୍ରଥମ ୧୦ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢ଼ି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା। ଧିରେ ଧିରେ ୪୦ ହଜାର ଜନସଂଖ୍ୟାଙ୍କ ପାଇଁ ନିର୍ମାଣ ହୋଇଥିବା ଭୁବନେଶ୍ୱରରେ ଜନସଂଖ୍ୟା ବଢିବା ସହ ଲୋକପ୍ରିୟ ହୋଇ ପାରିଥିଲା‌। ଆଜି ଏହାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ।

“ଓଡ଼ିଶା ସହର ଯୋଜନା ଆଇନ” ୧୯୫୬ ଅନୁସାରେ ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ଗଠନ ହୋଇଥିଲା। ପ୍ରଥମେ ଭୁବନେଶ୍ୱର ପାଇଁ ଜଣେ “ବିଶେଷ ଯୋଜନା ଅଧିକାରୀ”ଙ୍କୁ ନିଯୁକ୍ତ କରାଗଲା। ପରବର୍ତ୍ତୀ ସମୟରେ ଜନସଂଖ୍ୟା ବୃଦ୍ଧି ପାଇବାରୁ ମୁନିସିପାଲିଟି ଗଠନ କରାଗଲା। ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ “ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା” ଗଠନ କରାଗଲା। ଏହା ପରେ ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା। ୧୯୯୪ ମସିହା ଅଗଷ୍ଟ ୧୪ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଗଠନ ହୋଇଥିଲା।

ଦୀର୍ଘ ୭୭ ବର୍ଷର ଯାତ୍ରାରେ ଭୁବନେଶ୍ୱର ବହୁ ଉତ୍ଥାନ ପତନ ଦେଇ ଗତି କରିଛି। ଏହା ମଧ୍ୟରେ ସ୍ମାର୍ଟ ସିଟି ସହ ଆଇଟି ହବ୍ ଓ ଶିକ୍ଷା ହବରେ ମଧ୍ଯ ପରିଣତ ହୋଇଛି। ବହୁ ଲୋକଙ୍କ ସ୍ୱପ୍ନ ସାକାର କରିବାରେ ମାଧ୍ୟମ ପାଲଟିଛି। ସାରା ରାଜ୍ୟର ଲୋକମାନଙ୍କର ଏକ ସ୍ୱପ୍ନର ଆବାସ ସ୍ଥଳ ହୋଇପାରିଛି ଭୁବନେଶ୍ୱର।