କିଛି ଲୋକଙ୍କୁ ସଙ୍ଗଠନକୁ ହାଇଜ୍ୟାକ କରିବାକୁ ଦିଆନଯାଉ: ନବୀନଙ୍କୁ ରଣେନ୍ଦ୍ରଙ୍କ ଚିଠି
ପ୍ରତିକ୍ରିୟା ରଖିଲେ ଦେବୀ ମିଶ୍ର
ଭୁବନେଶ୍ୱର, ୧୪/୦୪: ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ୱାକଫ ବିଲ୍ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏହି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ରଣେନ୍ଦ୍ର। ସୋସିଆଲ ମିଡ଼ିଆ ଓ ବିଭିନ୍ନ ଗଣମାଧ୍ୟମରେ କିଛି ନେତା ବୟାନ ବାଜି କରୁଥିବା ବେଳେ ଆଜି ରଣେନ୍ଦ୍ରଙ୍କ ଚିଠି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ। କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ। ଏହା ବ୍ୟତୀତ ୱାକଫ୍ ବିଲ୍ ବିବାଦ ଦଳର ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରଣେନ୍ଦ୍ର ସ୍ବାଇଁ।
ଅନ୍ୟପଟେ ରଣେନ୍ଦ୍ରଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ଯଦି ହାଇଜ୍ୟାକ ବିଷୟରେ ସେ କିଛି ସୂଚନା ପାଇଥିଲେ, ତାହାଲେ ସେ ଜାଣିଥିବେ। ଏ ବିଷୟରେ ସେ ବୁଝାଇ ପାରିବେ। ତାଙ୍କର ସେ ବିଷୟରେ ବେଶୀ ଉପଲବ୍ଧି ଥିବ। ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲିଛୁ। ସଙ୍ଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇଆସିଛି।