ଭୁବନେଶ୍ୱର, ୧୫/୦୪: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ପୁଲିସ ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅରୁହାଠାରେ ମା’ ହିଙ୍ଗୁଳାଙ୍କ ଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ।
ସୂଚନା ଅନୁଯାୟୀ, ଏପ୍ରିଲ ୧୩ ତାରିଖରେ ଧର୍ମଶାଳାର ପୂର୍ବତନ ବିଧାୟକ ମା’ ହିଙ୍ଗୁଳାଙ୍କ ଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ କାରର ବୋନେଟ ଭାଙ୍ଗି ଯାଇଥିଲା। ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।