ନବଜାତ ଶିଶୁ ଚୋରି ହେଲେ ରଦ୍ଦ ହେବ ହସ୍ପିଟାଲର ଲାଇସେନ୍ସ
୬ ମାସ ମଧ୍ୟରେ ଶୁଣାଣି କରିବେ ହାଇକୋର୍ଟ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ, ୧୫/୦୪: ଶିଶୁ ଚୋରା ଚାଲାଣ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଯଦି ହସ୍ପିଟାଲରୁ କୌଣସି ନବଜାତ ଶିଶୁର ଚୋରାଚାଲାଣ ହୁଏ ତାହେଲେ ଏଥିରେ ଦାୟୀ ହେବେ ସମ୍ପୃକ୍ତ ହସ୍ପିଟାଲ। ଉକ୍ତ ହସ୍ପିଟାଲର ଲାଇସେନ୍ସ ତୁରନ୍ତ ରଦ୍ଦ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତରପ୍ରଦେଶର ଏକ ମାମଲାର ଶୁଣାଣି କରିବା ବେଳେ କହିଛନ୍ତି, ଏଭଳି ଅପରାଧକୁ ରୋକିବା ପାଇଁ ରାଜ୍ୟ ଗୁଡ଼ିକ କଡ଼ା ନିର୍ଦ୍ଦେଶାବଳୀ ଆଣିବା ଉଚିତ୍। ରାଜ୍ୟର ହାଇକୋର୍ଟ ଗୁଡ଼ିକୁ ୬ ମାସ ମଧ୍ୟରେ ଏଭଳି ମାମଲାର ଶୁଣାଣି ଶେଷ କରିବା ଉଚିତ୍। ଯଦି କୌଣସି ନବଜାତ ଶିଶୁ ଚୋରା ଚାଲାଣ ହୁଏ ତେବେ ହସ୍ପିଟାଲର ଲାଇସେନ୍ସକୁ ହାଇକୋର୍ଟ ବାତିଲ କରିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ସୂଚନାନୁସାରେ, ଉତ୍ତରପ୍ରଦେଶରେ ପୁଅ ଚାହୁଁଥିବା ଦମ୍ପତ୍ତି ଏକ ହସ୍ପିଟାଲରୁ ୪ ଲକ୍ଷ ଟଙ୍କା ମୂଲ୍ୟରେ ଏକ ପିଲା ପାଇଥିଲେ। ଏହି ଦମ୍ପତ୍ତିଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଆଗୁଆ ଜାମିନ ମିଳି ଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଦମ୍ପତ୍ତିଙ୍କ ଜାମିନ ରଦ୍ଦ କରିବା ସହ ଉଭୟ ଆହ୍ଲାବାଦ ହାଇକୋର୍ଟ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ଏଭଳି ଅଭିଯୁକ୍ତ ସମାଜ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଯଦି କୌଣସି ହସ୍ପିଟାଲରୁ ପିଲା ଚୋରାଚାଲାଣ ହୁଏ, ତାହାଲେ ଉକ୍ତ ରାଜ୍ୟର ହାଇକୋର୍ଟ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।