ଚୀନ-ଜାପାନ ଉପରେ ବିପଦ, ସ୍ଥଳଭାଗ ଆଡକୁ ମାଡି ଆସୁଛି ୨୦୨୨ର ସବୁଠୁ ଶକ୍ତିଶାଳୀ ବାତ୍ୟା

ନୂଆଦିଲ୍ଲୀ: ଚଳିତ ବର୍ଷର ସବୁଠୁ ବଡ଼ ବାତ୍ୟାର ବିପଦ ଏବେ ଜାପାନ ଉପରେ ରହିଛି । ୨୦୨୨ର ସବୁଠୁ ବଡ଼ ଶକ୍ତିଶାଳୀ ବାତ୍ୟା ପୂର୍ବ ଚୀନ ସାଗରରୁ ସୃଷ୍ଟି ହୋଇ ଜାପାନ ଆଡେ ଅଗ୍ରସର ହେଉଛି । ଏହି ବାତ୍ୟା ଜାପାନର ଦକ୍ଷିଣ ଦ୍ୱୀପ ଗୁଡିକରେ ତାଣ୍ଡବ ରଚିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଏହି ବିପଦ କେବଳ ଜାପାନ ଉପରେ ସୀମିତ ନାହିଁ ବରଂ ଏହା ଚୀନର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ତାଣ୍ଡବ ରଚିବ । ଏହି ବାତ୍ୟାର ନାଁ ହିନାମନୋର ରଖାଯାଇଛି।

ୟୁଏସ ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ଅନୁସାରେ, ସପର ଟାଇଫୁନ ହିନାମନୋର ଘଣ୍ଟାପ୍ରତି ପ୍ରାୟ ୧୬୦ ମାଇଲ (୨୫୭ କିଲୋମିଟର)  ବେଗରେ ସ୍ଥଳଭାଗକୁ ମାଡି ଆସୁଛି । ତେବେ ପବନର ବେଗ ଘଣ୍ଟା ପ୍ରତି ୧୯୫ ମାଇଲ ପର୍ଯ୍ୟନ୍ତ ବୋହିପାରେ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଏହାର ପ୍ରଭାବରେ ପ୍ରାୟ ୫୦ ଫୁଟ ଉଚ୍ଚରେ ସମୁଦ୍ରରେ ଲହରି ଆସିବାର ସମ୍ଭାବନା ରହିଛି । ଏଥିରୁ ଏହି ବାତ୍ୟା କେତେ ଶକ୍ତିଶାଳୀ ଏବଂ ପ୍ରଳୟଙ୍କାରୀ ତାର ଅନୁମାନ କରାଯାଇ ହେବ ।

ଜାପାନର ପାଣିପାଗ ବିଜ୍ଞାନ ଏଜେନ୍ସି ଅଧିକାରୀଙ୍କ ଅନୁସାରେ, ଏହା ୨୦୨୨ ମସିହାର ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ହେବ । ବର୍ତ୍ତମାନ ବତ୍ୟା ଘଣ୍ଟାରୁ ୨୨ କିଲୋମିଟର ବେଗରେ ରୟୁକୁ ଦ୍ୱୀପ ଆଡକୁ ମାଡି ଆସୁଛି।