ଇତିହାସ ରଚିଲେ ରୋହିତ ଶର୍ମା, ଟି-୨୦ରେ ଏମିତି କରିବାରେ ପ୍ରଥମ ବ୍ୟାଟସମ୍ୟାନ

ଦୁବାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂତନ ଇତିହାସ ରଚିଛନ୍ତି। ରୋହିତ ପ୍ରଥମ ବ୍ୟାଟସମ୍ୟାନ ଭାବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦୦ ରନ ପୂରଣ କରିବାର ଉପଲବ୍ଧି ହାସଲ କରିଛନ୍ତି। ହଂକଂ ବିପକ୍ଷ ଏସିଆ କପ୍ ୨୦୨୨ର ଚତୁର୍ଥ ମ୍ୟାଚ୍‌ରେ ରୋହିତ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ରୋହିତ ନିଜ ଇନିଂସରେ ଏକ ରନ କରିବା ମାତ୍ରେ ଟି-୨୦ ଅନ୍ତର୍ଜାତୀୟ ପୁରୁଷ କ୍ରିକେଟ୍‌ରେ ୩୫୦୦ ରନ ପୂରଣ କରିବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟ୍‌ରେ ଏହି ଉପଲବ୍ଧି ନ୍ୟୁଜିଲାଣ୍ଡର ସୁଜି ବେଟ୍ସଙ୍କ ନାମରେ ରହିଛି।

ରୋହିତ ହଂକଂ ବିପକ୍ଷ ମୁକାବିଲାରେ ୧୩ ବଲ୍‌ରୁ ଦୁଇ ଚୌକା ଏବଂ ଏକ ଛକା ସହ ୨୧ ରନର ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଭାରତୀୟ ଅଧିନାୟକଙ୍କୁ ଆୟୁଷ ଶୁକ୍ଳା ଆଉଟ୍ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ୧୨୫ଟି ଇନିଂସରୁ ୩୨ ହାରରେ ରୋହିତ ୩୪୯୯ ରନ କରିଥିଲେ। ସେ ପ୍ରଥମରୁ ହିଁ ସବୁଠୁ ଅଧିକ ରନ କରିଥିବା ବ୍ୟାଟସମ୍ୟାନ। ଏଥିରେ ଚାରି ଶତକ ଏବଂ ୨୭ ଅର୍ଦ୍ଧଶତକ ସାମିଲ୍। ୩୦୦ରୁ ଅଧିକ ଚୌକା ହାସଲ କରିବା ସହ ୧୫୦ରୁ ଅଧିକ ଛକା ମାରି ସାରିଛନ୍ତି।