ଆର୍ଜେଣ୍ଟିନା ଉପରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ବିଫଳ

ବୁଏନସ ଆୟର୍ସ ୨।୯:  ଆର୍ଜେଣ୍ଟିନା ଉପରାଷ୍ଟ୍ରପତିଙ୍କୁ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ କରାଯାଇଥିବା ହତ୍ୟା ଉଦ୍ୟମ ବିଫଳ ହୋଇଛି। ପୋଲିସ ପିସ୍ତଲ ସହ ଆତତାୟୀକୁ ଗିରଫ କରିଥିବା ବେଳେ ପଚରା ଉଚରା ଜାରି ରହିଛି। ଉପରାଷ୍ଟ୍ରପତି ଫର୍ଣ୍ଣାଣ୍ଡେଜ ଡି କ୍ରିସନର ତାଙ୍କ ବିରୋଧରେ ଆଗତ ଦୁର୍ନୀତି ମାମଲାର ଶୁଣାଣି ସାରି କୋର୍ଟରୁ ଘରକୁ ଫେରିବା ବେଳେ ତାଙ୍କ ପ୍ରତି ହତ୍ୟା ଉଦ୍ୟମ ହୋଇଥିଲା।

କ୍ରିସନର ଘର ଆଗରେ କାରରୁ ଓହ୍ଲାଉଥିବା ବେଳେ ଭିଡ ମଧ୍ୟରୁ ଜଣେ ୩୫ ବର୍ଷ ବୟସ୍କ ଯୁବକ ବାହାରି ଆସି ତାଙ୍କୁ ପିସ୍ତଲ ଦେଖାଇଥିଲା। ତେବେ ସେ ଟ୍ରିଗର ଟିପିବାରୁ ଗୁଳି ଫୁଟି ନଥିଲା। ଉପସ୍ଥିତ ପୋଲିସ ତୁରନ୍ତ ଯୁବକକୁ କାବୁ କରି ନେଇଛି। ଆର୍ଜେଣ୍ଟିନା ରାଷ୍ଟ୍ରପତି ଘଟଣା ପରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ପିସ୍ତଲରେ ୫ଟି ଗୁଳି ଭର୍ତ୍ତି ଥିଲା ବୋଲି ସେ କହିଛନ୍ତି। ତେବେ ଟ୍ରିଗର ନ ଚାଲିବା ଯୋଗୁ କ୍ରିସନରଙ୍କ ଜୀବନ ବଞ୍ଚିଯାଇଥିବା କହିଛନ୍ତି।