ପାକିସ୍ତାନରୁ ଆମଦାନୀ ବନ୍ଦ କଲା ଭାରତ

ଭାରତୀୟ ବନ୍ଦରକୁ ପ୍ରବେଶ କରି ପାରିବନି ପାକିସ୍ତାନ ପତାକା ଲାଗିଥିବା ଜାହାଜ

ନୂଆଦିଲ୍ଲୀ, ୦୩/୦୫: ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଉଛି ଭାରତ। ପାକିସ୍ତାନରୁ ଆମଦାନୀ ଉପରେ କଟକଣା ଲଗାଇଛି ଭାରତ। ପାକିସ୍ତାନରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନରୁ ସିଧାସଳଖ ଆମଦାନୀ ହେଉନଥିବା ବେଳେ କିଛି ସାମଗ୍ରୀ ପରୋକ୍ଷ ମାଧ୍ୟମରେ ତୃତୀୟ ଦେଶ ଦେଇ ଭାରତ ଭିତରକୁ ପ୍ରବେଶ କରେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜାତୀୟ ନିରାପତ୍ତା ଏବଂ ସାର୍ବଜନୀନ ନୀତିକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟର ଅନ୍ୟ ଏକ ଆଦେଶରେ କୁହାଯାଇଛି ଯେ ପାକିସ୍ତାନର ପତାକା ଲାଗିଥିବା କୌଣସି ଜାହାଜକୁ ଭାରତର ଯେକୌଣସି ବନ୍ଦର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ଅନ୍ୟପଟେ ସ୍ଥଳ ସୀମା ଦେଇ ବାଣିଜ୍ୟ କାରବାର ହେଉଥିବା ଅଟାରୀ-ୱାଘା ସୀମା ଦେଇ ବାଣିଜ୍ୟ ବନ୍ଦ କରିବାକୁ ପୂର୍ବରୁ ଘୋଷଣା ହୋଇସାରିଛି। ପାକିସ୍ତାନ ମଧ୍ୟ ଭାରତ ସହ ସମସ୍ତ ବାଣିଜ୍ୟ ବନ୍ଦ କରିଦେଇଛି।