ଟାଟା ସହିତ ବିବାଦ କାରଣରୁ ଚର୍ଚ୍ଚାରେ ଥିଲେ ସାଇରସ୍ ମିସ୍ତ୍ରୀ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ତଥା ଉଦ୍ୟୋଗପତି ସାଇରସ ମିସ୍ତ୍ରୀଙ୍କ ସଡକ ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ମିସ୍ତ୍ରୀ ସାପୁରଜୀ ପାଲୋନଜୀ ପରିବାରର ସଦସ୍ୟ ଥିଲେ ଏବଂ ଟାଟା ସନ୍ସର ସବୁଠୁ ବଡ ଅଂଶଧାରକ ଥିଲେ। ସାପୁରଜୀ  ପାଲୋନଜୀ ଗ୍ରୁପର ଟାଟା ସନ୍ସରେ ୧୮.୩୭ ପ୍ରତିଶତ ସେୟାର ରହିଛି।

୨୦୧୨ରେ ମିଳିଥିଲା ଟାଟା ସନ୍ସର ଦାୟିତ୍ଵ

୨୦୦୬ରେ ପାଲୋନଜୀ ମିସ୍ତ୍ରୀଙ୍କ ସବୁଠୁ ବଡ ପୁଅ ସାଇରସ ମିସ୍ତ୍ରୀ ଟାଟା ସନ୍ସ ସହିତ ଜଡିତ ଥିଲେ। ଏହା ପରେ ତାଙ୍କୁ ୨୦୧୨ ଡିସେମ୍ବରରେ ରତନ ଟାଟାଙ୍କ ସ୍ଥାନରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଅନେକ ସାକ୍ଷାତକାର ଏବଂ ଦେଢ ବର୍ଷ ପରେ ଟାଟା ଗ୍ରୁପ  ଶେଷରେ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ଦେଇଥିଲା। ହେଲେ ୪ ବର୍ଷ ପରେ ୨୦୧୬ରେ ଅଚାନକ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ସେ ଟାଟା ଗ୍ରୁପ ସହ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ।

ଟାଟା ଗ୍ରୁପର ଷଷ୍ଠ ଚେୟାରମ୍ୟାନ ଥିଲେ ସାଇରସ୍

ସାଇରସ୍  ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଅଧ୍ୟକ୍ଷ ହୋଇଥିଲେ। ୨୦୧୨ ଡିସେମ୍ବରରେ ରତନ ଟାଟା ଏହି ପଦରୁ ଅବସରଗ୍ରହଣ କରିଥିଲେ। ଏଥିସହ ସାଇରସ ମିସ୍ତ୍ରୀ ଟାଟା ସନ୍ସର ସବୁଠୁ ଯୁବ ଅଧ୍ୟକ୍ଷ ହୋଇଥିଲେ। ମିସ୍ତ୍ରୀ  ଲଣ୍ଡନର ବିଜନେସ୍ ସ୍କୁଲରୁ ଶିକ୍ଷାଲାଭ କରିଛନ୍ତି। ସାଇରସ ପରିବାରର ପାଲୋନଜୀ ଗ୍ରୁପରେ ୧୯୯୧ରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କୁ ୧୯୯୪ରେ ସାପୁରଜୀ ପାଲୋନଜୀ ଗ୍ରୁପର ନିର୍ଦ୍ଦେଶ ଭାବେ ନିଯୁକ୍ତ କରାଯାଇଥିଲା।