ସ୍ୱାଧୀନତା ଘୋଷଣା କଲା ବେଲୁଚିସ୍ତାନ

ଭାରତରେ ଦୂତାବାସ ପାଇଁ ଦାବି କଲା: ପାଣ୍ଠି ଯୋଗାଇବାକୁ ଜାତିସଂଘକୁ ନିବେଦନ

ନୂଆଦିଲ୍ଲୀ, ୧୪/୦୫: ବେଲୁଚିସ୍ତାନର‌ ଦୀର୍ଘ ବର୍ଷ ଧରି ପାକିସ୍ତାନ ସହିତ ଲାଗିଥିବା ଲଢେ଼ଇ ଆହୁରି ତୀବ୍ର ହୋଇଛି। ବେଲୁଚ ନେତା ବେଲୁଚିସ୍ତାନକୁ ସ୍ୱାଧୀନତା ଘୋଷଣା କରିବା ପରେ ଏହି ବିଦ୍ରୋହ ଆହୁରି ଆହୁରି ବୃଦ୍ଧି ପାଇଛି। ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରଦେଶ ବେଲୁଚିସ୍ତାନରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିଦ୍ରୋହ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।

ବିଶିଷ୍ଟ ବେଲୁଚ ଜାତୀୟତାବାଦୀ ନେତା ତଥା ଲେଖକ ମୀର ୟାର୍ ବାଲୁଚ୍ ସୋସିଆଲ ମିଡିଆରେ ଏକ ‘ରିପବ୍ଲିକ୍ ଅଫ୍ ବେଲୁଚିସ୍ତାନ’ ଗଠନ ଘୋଷଣା କରିବା ସହ ନୂଆଦିଲ୍ଲୀରେ ଏକ ବେଲୁଚ୍ ଦୂତାବାସ ପ୍ରତିଷ୍ଠା କରିବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହା ସହ ମୁଦ୍ରା ଓ ପାସପୋର୍ଟ ପ୍ରଦାନ ସମେତ ରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଇ ଦେବାକୁ ସେ ଜାତିସଂଘକୁ ମଧ୍ୟ ନିବେଦନ କରିଛନ୍ତି।

ମେ ୯ ତାରିଖରେ ସେ ସୋସିଆଲ ମିଡିଆରେ ଲେଖିଥିଲେ, ପାକିସ୍ତାନର ଆତଙ୍କବାଦୀ ବ୍ୟବସ୍ଥାର ପତନ ହେବାକୁ ଯାଉଛି। ଆମେ ଭାରତକୁ ଅନୁରୋଧ କରୁଛୁ ଯେ ଦିଲ୍ଲୀରେ ବେଲୁଚିସ୍ତାନର ଏକ ସରକାରୀ କାର୍ଯ୍ୟାଳୟ ଏବଂ ଦୂତାବାସ ଖୋଲିବାକୁ ଅନୁମତି ଦିଅନ୍ତୁ। ଏହି ଲେଖା ସହିତ ଲୋକମାନେ ବେଲୁଚ ପତାକା ଉତ୍ତୋଳନ କରୁଥିବାର ଫଟୋ ଏବଂ ସ୍ୱାଧୀନ ବେଲୁଚିସ୍ତାନକୁ ଦର୍ଶାଉଥିବା ମାନଚିତ୍ର ମଧ୍ୟ ଥିଲା।

ପାକିସ୍ତାନ ଦ୍ୱାରା ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିବା ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଗତ କିଛି ଦିନ ମଧ୍ୟରେ ପାକିସ୍ତାନର ୫୧ଟି ସ୍ଥାନରେ ହୋଇଥିବା ୭୧ଟି ସମନ୍ୱିତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ସାମରିକ ଓ ଗୁଇନ୍ଦା ପ୍ରତିଷ୍ଠାନ, ଥାନା, ଖଣିଜ ପରିବହନ ଯାନ ଏବଂ ପ୍ରମୁଖ ରାଜପଥ ଭିତ୍ତିଭୂମିକୁ ଟାର୍ଗେଟ କରିଛି ଏହି ସଙ୍ଗଠନ ।

ସୂଚନାଯୋଗ୍ୟ, ପାକିସ୍ତାନର ସର୍ବବୃହତ ପ୍ରଦେଶ ବେଲୁଚିସ୍ତାନ ଏକଦା କଲାତ ରାଜ୍ୟର ଏକ ଅଂଶ ଥିଲା ଏବଂ ୧୯୪୮ମସିହାରେ ପାକିସ୍ତାନ ଏହାକୁ ଅକ୍ତିଆର କରିଥିଲା। କିନ୍ତୁ ବେଲୁଚ ଜାତୀୟତାବାଦୀ ନେତା ମାନେ ସ୍ୱାଧୀନ ବେଲୁଚସ୍ତାନ ଗଠନ ପାଇଁ ଦାବି କରି ଆସୁଥିଲେ। କିନ୍ତୁ ପାକିସ୍ତାନ ସରକାରଙ୍କ କ୍ରମାଗତ ସାମରିକ ଆକ୍ରଯଣ ଯୋଗୁଁ ବାରମ୍ବାର ବିଦ୍ରୋହ ଚାଲିଛି। ସଦ୍ୟତମ ଘଟଣାକ୍ରମ ଉପରେ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ପ୍ରତିକ୍ରିୟା ଜାରି କରିନାହାଁନ୍ତି।