ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା
'ଅପରେସନ ସିନ୍ଦୂର' ସମ୍ପର୍କରେ ବିଶ୍ୱକୁ ବାର୍ତ୍ତା ଦେବେ ସର୍ବଦଳୀୟ ପ୍ରତିନିଧି ଦଳ
ପ୍ରତ୍ୟେକ ପ୍ରତିନିଧି ଦଳ ଗସ୍ତ କରିବେ ୫ ଦେଶ
ନୂଆଦିଲ୍ଲୀ, ୧୭/୦୫: ଆତଙ୍କବାଦକୁ ସମୂଳେନାଶ କରିବ ଭାରତ। ଆତଙ୍କବାଦ ମୂଳରୁ ନ ଯିବା ଯାଏଁ ଆତଙ୍କବାଦୀ ବିରୋଧରେ ଲଢ଼େଇ ଜାରି ରହିବ। ଆତଙ୍କବାଦୀ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ କେନ୍ଦ୍ର ସରକାର ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ର ସହ ପ୍ରମୁଖ ସହଯୋଗୀ ରାଷ୍ଟ୍ରମାନଙ୍କୁ ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବେ। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଦେଶର ସ୍ପଷ୍ଟ ବାର୍ତ୍ତାକୁ ବିଶ୍ୱ ସ୍ତରରେ ପହଞ୍ଚାଇବେ ଏହି ପ୍ରତିନିଧି ଦଳ।
ଏହି ୭ ଜଣ ସାଂସଦଙ୍କ ନେତୃତ୍ୱରେ କଂଗ୍ରେସର ଶଶି ଥରୁର, ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କନିମୋଝି କରୁଣାନିଧି, ଏନସିପିର ସୁପ୍ରିୟା ସୁଲେ ଏବଂ ଶିବସେନାର ଏକନାଥ ସିନ୍ଦେ ରହିଛନ୍ତି।
ଶଶି ଥରୁରଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଆମେରିକା, ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ୟୁରୋପ, କାନିମୋଝିଙ୍କ ନେତୃତ୍ୱରେ ଋଷ, ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଆଫ୍ରିକା ଏବଂ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଗଲ୍ଫ ଦେଶକୁ ଯିବେ।
ଶଶି ଥରୁରଙ୍କ ନେତୃତ୍ୱରେ ଆମେରିକା ଯାଉଥିବା ଦଳରେ ଶମ୍ଭବୀ ଚୌଧୁରୀ, ସରଫରାଜ ଅହମ୍ମଦ, ସୁଦୀପ ବନ୍ଦୋପାଧ୍ୟାୟ, ହରିଶ ବଳଯୋଗୀ, ଶଶାଙ୍କ ମଣି ତ୍ରିପାଠୀ, ଭୁବନେଶ୍ୱର କଳିତା ଓ ମିଲିନ୍ଦ ଦେଓରା ରହିଛନ୍ତି।
ଜେଡିୟୁର ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଜାପାନ ଯିବାକୁ ଥିବା ଦଳରେ ସଲମାନ ଖୁର୍ସିଦ, ମୋହନ କୁମାର, ୟୁସୁଫ ପଠାନ, ହିମାଙ୍ଗ ଯୋଶୀ, ଜନ୍ ବ୍ରିଟାସ୍, ବିକ୍ରମଜିତ୍ ବାର୍ଷ୍ଣେ, ପ୍ରଧାନ ବରୁଆ ଏବଂ ବିଜେପିର ଅପରାଜିତା ଷଡ଼ଙ୍ଗୀ ସାମିଲ ଅଛନ୍ତି।
ତେବେ ପ୍ରତ୍ୟେକ ପ୍ରତିନିଧି ଦଳ ପାଖାପାଖି ପାଞ୍ଚଟି ଦେଶ ଗସ୍ତ କରିପାରନ୍ତି ଏବଂ ସେମାନଙ୍କ ସହ ବିଶିଷ୍ଟ କୂଟନୀତିଜ୍ଞମାନେ ରହି ପାରନ୍ତି ବୋଲି ସୂଚନା ମିଳିଛି।