ଭାରତରେ ରହି ପାକିସ୍ତାନକୁ ଯୋଗାଉଥିଲେ ତଥ୍ୟ

ISIର ଗୁପ୍ତଚର ଇଣ୍ଡିଆନ ଫିମେଲ ୟୁଟ୍ୟୁବର ଗିରଫ

ନୂଆଦିଲ୍ଲୀ, ୧୭/୦୫: ଟ୍ରାଭେଲ ଭ୍ଲଗର ତଥା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଛି। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ସୂଚନା ଏବଂ ହିସାର ପୋଲିସ ଅଧିକାରୀଙ୍କ ସୂଚନା ଆଧାରରେ ଜ୍ୟୋତିଙ୍କୁ ଗିରଫ କରାଯାଇଛି। ହରିୟାଣାର ହିସାର ଅଞ୍ଚଳର ଏହି ବ୍ଲଗର ଜଣକ ବୋଲି ଜଣାପଡ଼ିଛି। ତାଙ୍କୁ ନ୍ୟୁ ଆଗରସାଇନ ଏକ୍ସଟେନସନସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା।

ହିସାର ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ ଜ୍ୟୋତି – ଯିଏ କି ‘ଟ୍ରାଭେଲ ୱିଥ୍ ଜୋ’ ନାମରେ ଏକ ୟୁଟ୍ୟୁବ୍ ଟ୍ରାଭେଲ ଚ୍ୟାନେଲ ଚଳାଉଛନ୍ତି। ୨୦୨୩ରେ ପାକିସ୍ତାନ ଗସ୍ତ ସମୟରେ ସେ ପାକିସ୍ତାନୀ ନାଗରିକ ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।

ଗିରଫ ହେବା ପରେ ଜ୍ୟୋତି ପୋଲିସ ନିକଟରେ ପ୍ରକାଶ କରିଛନ୍ତି ଯେ ସେ ଭିସା ପାଇଁ ଆବେଦନ କରିବା ପାଇଁ ପ୍ରଥମେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନକୁ ଯାଇଥିଲେ, ଯେଉଁଠାରେ ସେ ଅହସାନ-ୟୁର-ରହିମ ଓରଫ ଦାନିଶଙ୍କୁ ଭେଟିଥିଲେ। ସାକ୍ଷାତ ପରେ ସେ ତାଙ୍କ ସହ ଯୋଗାଯୋଗରେ ରହିଥିଲେ ଏବଂ ପରେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ଅଲ୍ଲୀ ଅହୱାନ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ କି ପାକିସ୍ତାନରେ ତାଙ୍କ ରହିବାର ବ୍ୟବସ୍ଥା କରିଥିଲେ ଏବଂ ପାକିସ୍ତାନର ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସିର ଅଧିକାରୀମାନଙ୍କ ସହିତ ସାକ୍ଷାତ କରିବାର ସୁବିଧା ଯୋଗାଇ ଦେଇଥିଲେ।

ଭାରତ ଫେରିବା ପରେ ସେମାନେ ପାକିସ୍ତାନର ଦୁଇ ଜଣଙ୍କ ସହିତ ହ୍ୱାଟ୍ସଆପ୍, ସ୍ନାପଚାଟ୍ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସେମାନଙ୍କ ସହ ଯୋଗାଯୋଗରେ ରହିଥିଲେ। ସେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇକୁ ଭାରତର ବିଭିନ୍ନ ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ। ଯାହା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସାହିତ୍ୟ ସଂହିତା (ବିଏନଏସ), ୨୦୨୩ର ଧାରା ୧୫୨ ଏବଂ ଅଫିସିଆଲ ସିକ୍ରେଟ୍ ଆକ୍ଟ, ୧୯୨୩ର ଧାରା ୩, ୪ ଏବଂ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସୂଚନାନୁସାରେ, ହରିୟାଣାର ହିସାରରେ ରହୁଥିବା ଏହି ୩୩ ବର୍ଷୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ୟୁଟ୍ୟୁବରେ ୩.୭୭ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ପ୍ରାୟ ଦେଢ଼ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ସେ ୨୦୧୧ରେ ନିଜର ଚ୍ୟାନେଲ ଆରମ୍ଭ କରିଥିଲେ ଏବଂ ଭାରତ ସହ ପାକିସ୍ତାନର ଅନେକ ଗନ୍ତବ୍ୟସ୍ଥଳକୁ ଯାତ୍ରା ସମ୍ବନ୍ଧୀୟ ଭିଡିଓ ପ୍ରସ୍ତୁତ କରି ଅପଲୋଡ଼ କରନ୍ତି।