ସର୍ଟ ସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ

ଗୋଟିଏ ପରିବାରର ୧୭ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୮/୦୫: ହାଇଦ୍ରାବାଦର ଚାରମିନାର ନିକଟସ୍ଥ ଗୁଲଜାର ହାଉସ୍ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶନିବାର ଭୋର ୬.୦୦ ଟା ସମୟରେ ଅଗ୍ନିକାଣ୍ଡ ଘଟି ୮ ଜଣ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟିବା ପରେ ୧୧ଟି ଦମକଳ ଗାଡ଼ି ଯାଇ ନିଆଁକୁ ଆୟତ୍ତ କରିଥିଲା। ପ୍ରବଳ ଧୂଆଁ ଭର୍ତ୍ତି କୋଠାରୁ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ବହୁ ସମସ୍ୟା ଉପୁଜୁଥିଲା‌। ଦୁଇ ଘଣ୍ଟା ଧରି ଏହି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ୧୭ ଜଣ ଅଧିକାରୀ ଓ ୭୦ ଜଣ କର୍ମଚାରୀଙ୍କ ସହାୟତାରେ କୋଠା ଭିତରେ ଫସି ରହିଥିବା ୧୭ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି ଅନୁମାନ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଏକ ପୋଷ୍ଟରେ ଦୁଃଖ ପ୍ରକାଶ କରି କହିଛନ୍ତି, “ତେଲେଙ୍ଗାନାର ହାଇଦ୍ରାବାଦରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।” ଏଥିସହ ପ୍ରତି ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ତେଲେଙ୍ଗାନାମନ୍ତ୍ରୀ ପୋନମ ପ୍ରଭାକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରିବା ସହ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ବୋଲି କହିଛନ୍ତି।