ଭାରତକୁ ଅନୁସରଣ କଲା ପାକିସ୍ତାନ: ବିଦେଶ ଯିବେ ପ୍ରତିନିଧି ଦଳ

ନେତୃତ୍ୱ ନେବେ ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ, ୧୮/୦୫: ‘ଅପରେସନ ସିନ୍ଦୁର’ ବିଷୟରେ ସାରା ବିଶ୍ୱରେ ଅବଗତ କରାଇବା ପାଇଁ ବିଦେଶ ଗସ୍ତରେ ଯିବେ ଭାରତରୁ ପ୍ରତିନିଧି ଦଳ। ଆତଙ୍କବାଦୀ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ କେନ୍ଦ୍ର ସରକାର ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ର ସହ ପ୍ରମୁଖ ସହଯୋଗୀ ରାଷ୍ଟ୍ରମାନଙ୍କୁ ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବେ।

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଦେଶର ସ୍ପଷ୍ଟ ବାର୍ତ୍ତାକୁ ବିଶ୍ୱ ସ୍ତରରେ ପହଞ୍ଚାଇବେ ଏହି ପ୍ରତିନିଧି ଦଳ। ଉତ୍ତର ଆମେରିକା, ୟୁରୋପ ଏବଂ ପଶ୍ଚିମ ଏସିଆର ପ୍ରମୁଖ ରାଜଧାନୀଗୁଡ଼ିକୁ ନିଜର ପ୍ରତିନିଧିମଣ୍ଡଳ ପଠାଇବେ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ଯେଉଁଥିରେ ବିଭିନ୍ନ ଦଳର ସାଂସଦ, ପୂର୍ବତନ କୂଟନୀତିଜ୍ଞ ଏବଂ ବରିଷ୍ଠ ନେତାମାନେ ସାମିଲ ହେବେ।

ଏହି ପରିପ୍ରେକ୍ଷୀରେ ପାକିସ୍ତାନ ମଧ୍ୟ ଭାରତର ରାସ୍ତା ଅନୁସରଣ କରିବାକୁ ଯାଉଛି। ଭାରତ ପରି ପାକିସ୍ତାନ ବି ତା’ର‌ ପ୍ରତିନିଧି ଦଳକୁ ବିଦେଶ ପଠାଇବ। ଏ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଘୋଷଣା କରିଛନ୍ତି। ଦେଶର ଆଭିମୁଖ୍ୟ ଉପସ୍ଥାପନ କରିବା ପାଇଁ ସେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ରାଜଧାନୀ ଗୁଡ଼ିକୁ ଏକ କୂଟନୈତିକ ଦଳ ପଠାଇବେ ବୋଲି ଶେହବାଜ କହିଛନ୍ତି। ଏ ନେଇ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ସହ ସେ ଶନିବାର ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି।

ରେଡିଓ ପାକିସ୍ତାନ କହିଛି ଯେ ଶେହବାଜ ସରିଫ “ଭାରତର ପ୍ରଚାରର ପର୍ଦ୍ଦାଫାସ କରିବା ପାଇଁ ଏକ ଉଚ୍ଚସ୍ତରୀୟ କୂଟନୈତିକ ପ୍ରତିନିଧି ଦଳକୁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ରାଜଧାନୀକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିନିଧି ଦଳର ନେତୃତ୍ୱ ନେବାକୁ ସରିଫ ବିଲାୱଲ ଭୁଟ୍ଟୋଙ୍କୁ କହିଛନ୍ତି।”

ଏହି ପ୍ରତିନିଧି ଦଳରେ ବିଲାୱଲ ଭୁଟ୍ଟୋଙ୍କ ବ୍ୟତୀତ ଶକ୍ତି ମନ୍ତ୍ରୀ ମୁସାଦିକ ମଲିକ, ପାକିସ୍ତାନ ମୁସଲିମ ଲିଗ୍-ନୱାଜ ନେତା ଖୁରାମ ଦସ୍ତଗିର ଖାନ, ସିନେଟର ଶେରୀ ରେହମାନ, ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନୀ ଖାର, ମୁତ୍ତାହିଦା କୌମି ମୁଭମେଣ୍ଟର ସାଂସଦ ଫୈଜଲ ସୁବ୍ଜୱାରୀ, ପୂର୍ବତନ ବୈଦେଶିକ ସଚିବ ତେହମିନା ଜାଞ୍ଜୁଆ ଏବଂ ଜଲିଲ ଆବାସ ଜିଲାନି ରହିଛନ୍ତି। ଏହି ପ୍ରତିନିଧି ଦଳ ଆମେରିକା, ବ୍ରିଟେନ, ବ୍ରସେଲ୍ସ, ଫ୍ରାନ୍ସ ଓ ରୁଷିଆ ଗସ୍ତ କରିବେ।

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ ୭ ରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ‘ଅପରେସନ ସିନ୍ଦୂର’ ଅଧିନରେ ଆକ୍ରମଣ କରିଥିଲା। ଏଥିରେ ପାକିସ୍ତାନର ବହୁ ଏୟାରବେସ ନଷ୍ଟ ହୋଇଯିବା ସହ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ତେବେ ପ୍ରତି ଜବାବରେ ପାକିସ୍ତାନ ଭାରତର ବେସାମରିକ ଅଞ୍ଚଳ ଏବଂ ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କୁ ଫୋନ୍ କରି ଅସ୍ତ୍ରବିରତି କରିବା ପାଇଁ ଅନୁରୋଧ କରିବାରୁ ଭାରତ ଏହି ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା।