ନୂଆଦିଲ୍ଲୀ, ୧୮/୦୫: ଭାରତ ବିରୋଧରେ ବିଷ ଓଗାଳିବା ପରେ ଏବେ ବାଂଲାଦେଶକୁ ସହିବାକୁ ପଡ଼ିବ କ୍ଷତି। ବାଂଲାଦେଶରୁ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଲା ଭାରତ। ଭାରତର ସ୍ଥଳ ବନ୍ଦରକୁ ସାମଗ୍ରୀ ଆମଦାନୀ ପାଇଁ ବ୍ୟବହାର କରି ପାରିବ ନାହିଁ ବାଂଲାଦେଶ। ବାଂଲାଦେଶରୁ ଭାରତକୁ ଆମଦାନୀ ହେଉଥିବା ରେଡିମେଡ୍ ଗାର୍ମେଣ୍ଟସ, ପ୍ଲାଷ୍ଟିକ, ମେଲାମାଇନ, ଫର୍ଣ୍ଣିଚର, ଜୁସ୍, ମୃଦୁପାନୀୟ, ବେକେରୀ ସାମଗ୍ରୀ ଓ ପ୍ରୋସେସଡ ଫୁଡ୍ ଭଳି ସାମଗ୍ରୀ ସାମଗ୍ରୀଗୁଡ଼ିକ ବାଂଲାଦେଶରୁ ଭାରତର ଉତ୍ତର-ପୂର୍ବ ଭାଗରେ ଥିବା ତ୍ରିପୁରା, ଆସାମ, ମେଘାଳୟ ଏବଂ ମିଜୋରାମର ସ୍ଥଳ ବନ୍ଦର ଦେଇ ଆସି ପାରିବ ନାହିଁ। ଏ ନେଇ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଗତ କିଛି ଦିନ ତଳେ ଭାରତରୁ ସୂତା ରପ୍ତାନୀ ଉପରେ ସ୍ଥଳ ବନ୍ଦର ବନ୍ଦ କରିଥିଲା ବାଂଲାଦେଶ। ଲ୍ୟାଣ୍ଡ କଷ୍ଟମସ୍ ଷ୍ଟେସନ୍ସ ଓ ଇଂଟିଗ୍ରେଟେଡ ଚେକ୍ ପୋଷ୍ଟ ଦେଇ ଭାରତରୁ ସାମଗ୍ରୀ ରପ୍ତାନୀ ପାଇଁ ଅନୁମତି ଦେଇନଥିଲା। ସେହିପରି ଭାରତରୁ ଚାଉଳ ରପ୍ତାନୀ ଉପରେ ମଧ୍ୟ କଟକଣା ଲଗାଇଥିଲେ। ଯାହା ଫଳରେ ଭାରତ ଯେସାକୁ ତେସା ନୀତିରେ ବାଂଲାଦେଶ ଉପରେ କଟକଣା ଲଗାଇଛି। ଏବେ କେବଳ ପଶ୍ଚିମବଙ୍ଗର ସାମୁଦ୍ରିକ ବନ୍ଦର ଏବଂ ମୁମ୍ବାଇର ନବ ସେବା ବନ୍ଦରରେ କଡ଼ା ଯାଞ୍ଚ ପ୍ରକ୍ରିୟା ପରେ ହିଁ ବାଂଲାଦେଶରୁ ସାମଗ୍ରୀ ଆମଦାନୀ ହୋଇପାରିବ।
ବାଂଲାଦେଶରୁ ୯୩ ପ୍ରତିଶତ ରେଡିମେଡ୍ ଗାର୍ମେଣ୍ଟସ୍ ଭାରତକୁ ଆମଦାନୀ ହେଉଥିବା ବେଳେ ଏହି କଟକଣା ପରେ ବାଂଲାଦେଶକୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏ ନେଇ ଉତ୍ତର ପୂର୍ବ ରାଜ୍ୟ ଓ ପଶ୍ଚିମବଙ୍ଗ ରାଜ୍ୟର ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, ୨୦୦୯ରୁ ୨୦୧୪ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି କରିବା ପାଇଁ ତ୍ରିପୁରା, ମିଜୋରାମ, ମେଘାଳୟ ଏବଂ ଆସାମରେ ସ୍ଥଳ ବନ୍ଦର ଯେପରିକି ଲ୍ୟାଣ୍ଡ କଷ୍ଟମସ୍ ଷ୍ଟେସନ୍ସ ଓ ଇଂଟିଗ୍ରେଟେଡ ଚେକ୍ ପୋଷ୍ଟ ନିର୍ମାଣ କରିଥିଲା ଭାରତ। ହେଲେ, ଗତ କିଛି ଦିନ ତଳେ ବାଂଲାଦେଶର ଅନ୍ତରୀଣ ସରକାରୀ ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଯାଇ ସେଠାରେ ଭାରତ ବିରୋଧୀ ବୟାନ ଦେଇଥିଲେ। ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ସ୍ଥଳ ଘେରିତ ଅଞ୍ଚଳ। ଭାରତ ମହାସାଗରରେ କେବଳ ବାଂଲାଦେଶ ହିଁ ମାଲିକ। ତେଣୁ ଚୀନ ବାଂଲାଦେଶ ମଧ୍ଯ ଦେଇ ବାଣିଜ୍ୟିକ କାରବାର କରି ପାରିବ ବୋଲି ୟୁନୁସ କହିଥିଲେ। ଯାହା ଫଳରେ ଭାରତ ଏପରି ପଦକ୍ଷେପ ନେଇଛି।