‘ସଂସଦ ରତ୍ନ ୨୦୨୫’ ପୁରସ୍କାର ପାଇବେ ୧୭ ସାଂସଦ

ଓଡ଼ିଶାରୁ କାହାକୁ ମିଳିବ ଏହି ପୁରସ୍କାର ଜାଣନ୍ତୁ

ନୂଆଦିଲ୍ଲୀ, ୧୮/୦୫: ଚଳିତ ବର୍ଷ ୧୭ ଜଣ ସାଂସଦ ପାଇବେ ସଂସଦ ରତ୍ନ ପୁରସ୍କାର ୨୦୨୫। ସାରା ଦେଶରୁ ୧୭ ଜଣ ସାଂସଦଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇବା ପାଇଁ ମହାରାଷ୍ଟ୍ରରୁ ସର୍ବାଧିକ ମନୋନୀତ ହୋଇଛନ୍ତି। ଜାତୀୟ ପଛୁଆ ବର୍ଗ ଆୟୋଗ (ଏନସିବିସି)ର ଅଧ୍ୟକ୍ଷ ହଂସରାଜ ଅହିରଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟି ଏହି ପୁରସ୍କାର ବିଜେତାଙ୍କୁ ଚୟନ କରିଛି।

ସଂସଦ ରତ୍ନ ପୁରସ୍କାର ୨୦୨୫ ପାଇଁ ମନୋନୀତ ହୋଇଥିବା ସାଂସଦମାନେ ହେଲେ, ଭର୍ତ୍ତୃହରି ମହତାବ(ବିଜେପି) ଏନସିପି-ଏସପିର ସୁପ୍ରିୟା ସୁଲେ, ଆରଏସପିର ଏନ କେ ପ୍ରେମଚନ୍ଦ୍ରନ ଏବଂ ଶ୍ରୀରଙ୍ଗ ଆପ୍ପା ବର୍ଣ୍ଣେ, ସ୍ମିତା ବାଘ (ବିଜେପି), ଅରବିନ୍ଦ ସାୱନ୍ତ (ଶିବସେନା ୟୁବିଟି), ନରେଶ ଗଣପତ ମସ୍କେ (ଶିବସେନା), ବର୍ଷା ଗାଇକୱାଡ (କଂଗ୍ରେସ), ମେଧା କୁଲକର୍ଣ୍ଣି (ବିଜେପି), ପ୍ରବୀଣ ପଟେଲ (ବିଜେପି), ରବି କିଶନ (ବିଜେପି), ନିଶିକାନ୍ତ ଦୁବେ (ବିଜେପି), ବିଦ୍ୟୁତ ବରଣ ମାହାତୋ (ବିଜେପି), ପିପି ଚୌଧୁରୀ (ବିଜେପି), ମଦନ ରାଠୋର (ବିଜେପି), ସିଏନ୍ ଆନ୍ନାଦୁରାଇ (ଡିଏମ୍କେ) ଏବଂ ଦିଲ୍ଲୀପ ସାଇକିଆ (ବିଜେପି)।

ସଂସଦରେ ପ୍ରଶ୍ନକାଳରେ ଭାଗ ନେବା ସହ ପ୍ରଶ୍ନ ପଚାରିବା ଓ ସଂସଦର କାର୍ଯ୍ୟରେ ଅବଦାନ ରଖିଥିବା ଭଳି ବିଭିନ୍ନ ମାନଦଣ୍ଡ ଅନୁସାରେ ଏହି ପୁରସ୍କାର କରାଯାଇଥାଏ।

ସେହିପରି ଦୁଇଟି କମିଟି ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି। ସଂସଦରେ ଉପସ୍ଥାପିତ ରିପୋର୍ଟ ଅନୁସାରେ ଦୁଇଟି ସଂସଦୀୟ ସ୍ଥାୟୀ କମିଟି, ଅର୍ଥ ଏବଂ କୃଷିକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଅର୍ଥ କମିଟିର ନେତୃତ୍ୱ ଭର୍ତ୍ତୃହରି ମହତାବଙ୍କ ନେଉଥିବା ବେଳେ କୃଷି କମିଟିର ନେତୃତ୍ୱ କଂଗ୍ରେସର ଚରଣଜିତ ସିଂହ ଚନ୍ନି ନେଉଛନ୍ତି।