ଜୋ ବାଇଡେନଙ୍କୁ ଷ୍ଟେଜ-୪ କ୍ୟାନସର
ପ୍ରୋଷ୍ଟେଟ କ୍ୟାନସରରେ ପୀଡ଼ିତ ବାଇଡେନ: ହାଡକୁ ବ୍ୟାପି ଯାଇଛି କୋଷ
ନୂଆଦିଲ୍ଲୀ, ୧୯/୦୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରୋଷ୍ଟେଟ୍ କର୍କଟ ରୋଗରେ ପୀଡ଼ିତ। ଗତ ସପ୍ତାହରେ ପରିସ୍ରାଜନିତ ସମସ୍ୟା କାରଣରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ପରେ ଡାକ୍ତରୀ ପରୀକ୍ଷା କରାଇବା ପରେ ତାଙ୍କୁ ପ୍ରୋଷ୍ଟେଟ୍ କର୍କଟ ହୋଇଥିବା ଜଣା ପଡ଼ିଥିଲା। ଗତ ଶୁକ୍ରବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜଣା ପଡ଼ିବା ପରେ ଗତ କାଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।
ପ୍ରୋଷ୍ଟେଟ କ୍ୟାନସର ଗ୍ଲିସନ ସ୍କୋର ମାପିବା ଦ୍ୱାରା ଜଣା ପଡିଥାଏ। ରେଞ୍ଜ ୧ରୁ ୧୦ ଯାଏଁ ସ୍କୋର ମଧ୍ୟରେ ଏହାକୁ ଚିହ୍ନଟ କରାଯାଇଥାଏ। ତେବେ ବାଇଡେନଙ୍କ ଗ୍ଲିସନ ସ୍କୋର ବର୍ତମାନ ୯ ରହିଛି, ଯାହା ଏକ ଭୟଙ୍କର ରୂପ ନେଇ ସାରିଛି। ବାଇଡେନଙ୍କୁ ବର୍ତ୍ତମାନ ଷ୍ଟେଜ – ୪ କ୍ୟାନ୍ସର ହୋଇଛି। କ୍ୟାନସର କୋଷ ଗୁଡ଼ିକ ତାଙ୍କ ହାଡ ମଧ୍ୟକୁ ବ୍ୟାପି ଯାଇଛି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରୋଷ୍ଟେଟ୍ କ୍ୟାନସର ହେଲେ, ମୁଖ୍ୟତଃ ଔଷଧ ଦ୍ୱାରା ଭଲ ହେବା ଏତେ ସହଜସାଧ୍ୟ ହୋଇ ନଥାଏ ଏବଂ ରୋଗକୁ ମୂଳରୁ ଭଲ କରିବା ସମ୍ଭବ ହୋଇନଥାଏ।
ବାଇଡେନଙ୍କୁ କ୍ୟାନ୍ସର ହୋଇଥିବା ଖବର ଶୁଣି ଦୁଃଖ ପ୍ରକାଶ କରିବା ସହ ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ବାଇଡେନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।