ଋଷ-ୟୁକ୍ରେନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧ ବିରତି!

ପୁଟିନଙ୍କ ସହ କଲେ କଥା ହେଲେ ଟ୍ରମ୍ପ

ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ହେବ ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ, ୨୦/୦୫: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ। ଅସ୍ତ୍ରବିରତି ପାଇଁ ରୁଷ୍ ଏବଂ ୟୁକ୍ରେନ ତୁରନ୍ତ ଆଲୋଚନା ଆରମ୍ଭ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ତେବେ କ୍ରେମଲିନ କହିଛି “ଯେ କୌଣସି ବୁଝାମଣା ପାଇଁ ସମୟ ଲାଗିବ ଏବଂ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ମସ୍କୋ ଉପରେ ଚାପ ପକାଇବା ପାଇଁ ନୂଆ ପ୍ରତିବନ୍ଧକ ଲଗାଇବାରେ ସେ ୟୁରୋପରେ ସାମିଲ ହେବାକୁ ପ୍ରସ୍ତୁତ ନୁହଁନ୍ତି।

ଟ୍ରମ୍ପ୍ କହିଛନ୍ତି ଯେ, “ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ପ୍ରତି ସପ୍ତାହରେ ହାରାହାରି ପାଖାପାଖି ୫,୦୦୦ ଯବାନଙ୍କ ସହ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟୁଛି। ଆମେ ଏହାକୁ ରୋକିବାକୁ ଚେଷ୍ଟା କରୁଛୁ। ଏହା ଏକ ସମ୍ପୂର୍ଣ୍ଣ ରକ୍ତାକ୍ତ ଘଟଣା ଏବଂ ମୁଁ ସାଟେଲାଇଟ୍ ଫଟୋ ଦେଖିଛି ଯାହା ବହୁତ ଖରାପ, ଏତେ ଭୟଙ୍କର।”

ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରି ଆହୁରି ମଧ୍ୟ କହିଛନ୍ତି, ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ଏହା ଆମର ଯୁଦ୍ଧ ନଥିଲା। ଏହା ମୁଁ ନଥିଲି। ଆମେ ପୂର୍ବ ପ୍ରଶାସନ ଠାରୁ କିଛି କରୁଛୁ। ସେମାନେ ଏହା କିପରି ହେବାକୁ ଦେଲେ? ଏହା ହେବାର ନଥିଲା।” ବୋଲି ଟ୍ରମ୍ପ କହିଛନ୍ତି।

ପୁଟିନଙ୍କ ସହ କଥା ହେବା ପରେ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବଂ ୟୁରୋପୀୟ ସଂଘ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଫିନଲାଣ୍ଡର ନେତାମାନଙ୍କ ସହ ଗ୍ରୁପ କଲରେ ଆଲୋଚନା କରିଛନ୍ତି।

ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ପୁଟିନ୍ କହିଛନ୍ତି ଯେ ଯୁଦ୍ଧ ଶେଷ କରିବା ସମୟ ଆସିଛି ଏବଂ ମସ୍କୋ ମଧ୍ୟ ଶାନ୍ତି ଚୁକ୍ତି ଉପରେ ୟୁକ୍ରେନ ସହ କାମ କରିବାକୁ ଇଚ୍ଛୁକ। ଆମେ ଆମେରିକାର ରାଷ୍ଟ୍ରପତିଙ୍କ ସହ ସହମତ ହୋଇଛୁ ଯେ ଋଷ ଶାନ୍ତି ଚୁକ୍ତି ପାଇଁ ପ୍ରସ୍ତାବ ଦେବ ଏବଂ ଭବିଷ୍ୟତରେ ସମ୍ଭାବ୍ୟ ଶାନ୍ତି ଚୁକ୍ତି ଉପରେ ୟୁକ୍ରେନ ସହ କାମ କରିବ।

ଟ୍ରମ୍ପଙ୍କ ସହ ଆଲୋଚନା ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ କିଭ ଏବଂ ଏହାର ସହଯୋଗୀମାନେ ୟୁକ୍ରେନ, ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ ଦେଶ ଏବଂ ବ୍ରିଟେନକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଉପରେ ବିଚାର କରୁଛନ୍ତି। ସମ୍ଭବତଃ ତୁର୍କୀ, ଭାଟିକାନ୍ କିମ୍ବା ସ୍ୱିଜରଲ୍ୟାଣ୍ଡରେ ଏହି ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହୋଇପାରେ ବୋଲି ସେ ଆଶା ବ୍ୟକ୍ତ କରିବା ସହ ସେ ବିନା ସର୍ତ୍ତରେ ଯୁଦ୍ଧ ବନ୍ଦ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି।