ମାଉଣ୍ଟ ଏଭରେଷ୍ଟ ଚଢ଼ି ମହିଳା ଯବାନ ଗୀତା ସମୋତାଙ୍କ ରେକର୍ଡ଼
ପ୍ରଥମ ପାରାମିଲିଟାରି ଫୋର୍ସ ସିଆଇଏସଏଫ ଯବାନ ଭାବେ ରଚିଲେ ଇତିହାସ
ନୂଆଦିଲ୍ଲୀ, ୨୦/୦୫: ସବ୍ ଇନ୍ସପେକ୍ଟର ଗୀତା ସମୋତା ରଚିଲେ ଇତିହାସ। ଦେଶର ପ୍ରଥମ ସିଆଇଏସ୍ଏଫ୍ ଯବାନ ଭାବେ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଚଢ଼ି ଇତିହାସ ରଚିଛନ୍ତି। ସେ ୮,୮୪୯ ମିଟର ଉଚ୍ଚ ପର୍ବତ ଉପରେ ଚଢ଼ି ଏହା କେବଳ ତାଙ୍କ ପାଇଁ ନୁହେଁ, ବରଂ ସିଆଇଏସଏଫ ଏବଂ ନାରୀ ଶକ୍ତି ପାଇଁ ମଧ୍ୟ ଗର୍ବର ମୁହୂର୍ତ୍ତ ବୋଲି ସିଆଇଏସଏଫ କହିଛି।
୩୫ ବର୍ଷୀୟା ସବ୍ ଇନ୍ସପେକ୍ଟର ୨୦୧୧ରେ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେଇ ବର୍ତ୍ତମାନ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ଉଦୟପୁର ବିମାନବନ୍ଦର ୟୁନିଟରେ ନିଯୁକ୍ତ ଅଛନ୍ତି।
ପର୍ବତାରୋହୀ ଗୀତା ସମୋତା ରାଜସ୍ଥାନର ସିକର ଜିଲ୍ଲାର ଚକ୍ ଗ୍ରାମର ବାସିନ୍ଦା। ସେ ଏକ ରକ୍ଷଣଶୀଳ ପରିବାରରୁ ଆସିଛନ୍ତି। ପ୍ରଥମେ ସ୍ଥାନୀୟ କଲେଜରେ ହକି ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାଥମିକ ଭାବେ ସେ ହକିରୁ ଦୂରେଇ ଯାଇଥିଲେ ଏବଂ ସେନା ବାହିନୀରେ ଯୋଗ ଦେଇଥିଲେ। କିନ୍ତୁ ପର୍ବତାରୋହଣ ପାଇଁ ଇଚ୍ଛା ପ୍ରକାଶ କରି ପର୍ବତାରୋହଣରେ ତାଲିମ ନେଇଥିଲେ।
ଗୀତା ୨୦୧୯ରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ)ର ପ୍ରଥମ ମହିଳା ଭାବେ ଉତ୍ତରାଖଣ୍ଡର ମାଉଣ୍ଟ ସତୋପନ୍ଥ (୭,୦୭୫ ମିଟର) ଏବଂ ନେପାଳର ମାଉଣ୍ଟ ଲୋବୁଚେ (୬,୧୧୯ ମିଟର) ଚଢ଼ିଥିଲେ।
୨୦୨୧ ରେ ମାଉଣ୍ଟ ଏଭରେଷ୍ଟ ଚଢିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ କୌଣସି କାରଣବଶତଃ ତାହା ବାତିଲ ହୋଇଥିଲା। ୨୦୨୧-୨୦୨୨ ମଧ୍ୟରେ ସେ ଅଷ୍ଟ୍ରେଲିଆର ମାଉଣ୍ଟ କୋସିଉସ୍କୋ (୨୮ ମିଟର), ରୁଷିଆର ମାଉଣ୍ଟ ଏଲବ୍ରୁସ୍ (୫୬୪୨ ମିଟର), ତାଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋ (୫,୮୯୫ ମିଟର) ଏବଂ ଆର୍ଜେଣ୍ଟିନାର ମାଉଣ୍ଟ ଆକନକାଗୁଆ (୬,୯୬୧ ମିଟର) ଶିଖରରେ ପହଞ୍ଚିଥିଲେ। ୬ ମାସ ୨୭ ଦିନ ମଧ୍ୟରେ ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା।