ଦେଶର ସମ୍ପୂର୍ଣ୍ଣ ସାକ୍ଷର ରାଜ୍ୟ ମିଜୋରାମ: ରାଜ୍ୟରେ ସାକ୍ଷରତା ହାର ୯୮.୨%
‘ଅଣ୍ଡରଷ୍ଟାଣ୍ଡିଂ ଲାଇଫଲଙ୍ଗ ଲର୍ଣ୍ଣିଂ ଫର୍ ଅଲ୍ ଇନ୍ ସୋସାଇଟି’ ଅଧିନରେ ନିରକ୍ଷର ହେଲେ ସାକ୍ଷର
ନୂଆଦିଲ୍ଲୀ, ୨୦/୦୫: ଅଣ୍ଡରଷ୍ଟାଣ୍ଡିଂ ଲାଇଫଲଙ୍ଗ ଲର୍ଣ୍ଣିଂ ଫର୍ ଅଲ୍ ଇନ୍ ସୋସାଇଟି (ଉଲାସ) କାର୍ଯ୍ୟକ୍ରମ ଅଧୀନରେ ଆନୁଷ୍ଠାନିକ ଭାବେ ମିଜୋରାମ ଭାରତର ପ୍ରଥମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ସାକ୍ଷର ବୋଲି ମୁଖ୍ୟମନ୍ତ୍ରୀ ଲାଲଦୁହୋମା ମଙ୍ଗଳବାର ଘୋଷଣା କରିଛନ୍ତି।
ମିଜୋରାମ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମିଜୋରାମର ଶିକ୍ଷା ମନ୍ତ୍ରୀ ଡ. ଭନଲାଲଥଲାନାଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି।
ଶିକ୍ଷା ମନ୍ତ୍ରଣାଳୟର ଉଲାସ ପଦକ୍ଷେପ ଅଧୀନରେ ମିଜୋରାମକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା। ଯାହା ସର୍ବନିମ୍ନ ସାକ୍ଷରତା ହାର ୯୫% ପାର କରିଛି। ପିରିୟଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ) ୨୦୨୩-୨୦୨୪ ଅନୁଯାୟୀ ମିଜୋରାମରେ ଏବେ ୯୮.୨% ସାକ୍ଷରତା ରହିଛି।
ବିଶେଷ କରି ସମଗ୍ର ଶିକ୍ଷା ଓ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ବିଭାଗର ନିରନ୍ତର ପ୍ରୟାସ ଯୋଗୁଁ ଏହି ଐତିହାସିକ ସଫଳତା ମିଳିଛି।
ଏହି ଅଭିଯାନକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ମିଜୋରାମ ସରକାର ରାଜ୍ୟ ସାକ୍ଷରତା ମିଶନ ପ୍ରାଧିକରଣ ଅଧୀନରେ ଏକ ଗଭର୍ଣ୍ଣିଂ କାଉନସିଲ ଏବଂ କାର୍ଯ୍ୟନିର୍ବାହୀ କମିଟି ଗଠନ କରିଥିଲେ।
ଏସସିଇଆରଟି ଅଧୀନରେ ଏକ ‘ରାଜ୍ୟ ସାକ୍ଷରତା କେନ୍ଦ୍ର’ (ଏସସିଏଲ) ପ୍ରତିଷ୍ଠା କରାଯାଇଥିଲା ଏବଂ ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କ ପାଇଁ ‘ମାର୍ଗଦର୍ଶିକା’ ଭଳି ଅତିରିକ୍ତ ସମ୍ବଳ ସୃଷ୍ଟି କରାଯାଇଥିଲା। କ୍ଲଷ୍ଟର ରିସୋର୍ସ ସେଣ୍ଟର ସଂଯୋଜକ (ସିଆରସିସି) ନ୍ୟୁ ଇଣ୍ଡିଆ ସାକ୍ଷରତା କାର୍ଯ୍ୟକ୍ରମ ପାଇଁ ସର୍ବେକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ଏଥିରେ ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ୩,୦୨୬ ନିରକ୍ଷର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୬୯୨ ଜଣ ସାକ୍ଷର ହେବାକୁ ଆଗ୍ରହ ଦେଖାଇଥିଲେ। ସେମାନଙ୍କୁ ଶିକ୍ଷା ଦେବା ପାଇଁ ୨୯୨ ଜଣ ସ୍ୱେଚ୍ଛାସେବୀ ଶିକ୍ଷକମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ଯାଇ ଶିକ୍ଷା ଦିନ କରିଥିଲେ।