କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଠିକାଦାରଙ୍କ ଆକ୍ରମଣ ଓ ଧମକ

ପ୍ରତିବାଦରେ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ବଲାଙ୍ଗିରର ସାମ୍ବାଦିକ

ବଲାଙ୍ଗିର, ୨୪/୦୫: ବଲାଙ୍ଗିର ସହରର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ଠିକାଦାରଙ୍କ ଆକ୍ରମଣ ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ଦାବି କରିଛନ୍ତି। ତେବେ ଏସ୍‌ପିଙ୍କ ଅନୁପସ୍ଥିତି ଯୋଗୁଁ ଏଡ଼ିସନାଲ୍ ଏସ୍‌ପି ଆଲୋକ ଜେନା ଏହି ଦାବିପତ୍ର ଗ୍ରହଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ବିଜୟଙ୍କ ଅନୁସାରେ ଗତକାଲି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା କୁଲ୍‌ଥିପାଲି ଗାଁରେ ଏକ ଗାର୍ଡ ୱାଲ୍ କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ସେ ଯାଇଥିଲେ। ଘଟଣାସ୍ଥଳରେ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ କାମରେ ନିୟୋଜିତ ଠିକାଦାର ଗଜେନ୍ଦ୍ର ଦଲେଇ ଓ କିଛି ଗୁଣ୍ଡା ଶ୍ରେଣୀୟ ଲୋକେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ସାମ୍ବାଦିକ ଶ୍ରୀ ପ୍ରଧାନଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ ବସାଇଥିଲେ। ତାଙ୍କୁ ଅପମାନିତ କରିବା ସହ ନିସ୍ତୁକ ମାଡ ମାରିଥିଲେ ଓ ମୋବାଇଲକୁ ଭାଙ୍ଗି ଦେଇଥିଲେ। ଆଗକୁ ଏପରି ଖବର କଲେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିବା ବିଜୟ କହିଛନ୍ତି। ଏସଂପର୍କରେ ଗତକାଲି ସାମ୍ବାଦିକ ବିଜୟ ପ୍ରଧାନ ପୁଇଁତଲାର ଥାନାରେ ଅଭିଯୋଗ କରିଥିବା ବେଳେ ଦୋଷୀ ଠିକାଦାରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଏସ୍‌ପି ଅଫିସ ପରିସରରେ ଧାରଣାରେ ବସିଥିଲେ। ପରେ ଏଡ଼ିସନାଲ୍ ଏସ୍‌ପି ସାମ୍ବାଦିକମାନଙ୍କଠାରୁ ଦାବିପତ୍ର ଗ୍ରହଣ କରି ଖୁବ୍‌ ଶୀଘ୍ର ଦୋଷୀମାନଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ବଲାଙ୍ଗିର ସହରର କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ମନୋରଞ୍ଜନ ଯୋଶୀ, ଶିଶିର ଶତପଥୀ, ଶରତ ଚନ୍ଦ୍ର ମିଶ୍ର, ବଲରାମ ମିଶ୍ର, ବିରେନ୍ଦ୍ର ଝାଙ୍କର, ସୁନିଲ ମହାନ୍ତି, ଆନନ୍ଦ ଚନ୍ଦ୍ର ସାହୁ, ଦୀପକ ପୁରୋହିତ, ଶରତ ମହାକୁର, ପ୍ରଦୀପ୍ତ ମିଶ୍ର, ରଘୁନନ୍ଦନ ସିଂହ, ଚିତ୍ତ ରଞ୍ଜନ ମିଶ୍ର, ମହେନ୍ଦ୍ର ଦର୍ଜୀ, ଶେଖ ମହମ୍ମଦ ୱାହିଦ, ମୁକେଶ ବହିଦାର, ଗୁପ୍ତେଶ୍ଵର ପୃଷ୍ଟି, ରାଧାକୃଷ୍ଣ ମିଶ୍ର, ଚିତ୍ରସେନ ବେହେରା, ପବନ ବଂଶଲ, ସାନୁଜ ମିଶ୍ର, ବଣ୍ଟି ମିଶ୍ର, ମହେନ୍ଦ୍ର ପ୍ରଧାନ, ନୂତନ ମିଶ୍ର, ସଚିଦାନନ୍ଦ ବଗର୍ତ୍ତୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।