ଭୁବନେଶ୍ୱର, ୨୫/୦୫: ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ବିଭାଗ। ଅଫିସ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ।
ଗାଇଡଲାଇନ୍ ଅନୁଯାୟୀ, କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା କାର୍ଯ୍ୟାଳୟକୁ ଆସିବେ ଏବଂ ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବାହାରକୁ ଯାଇପାରିବେ ନାହିଁ, ଯାହା ଦ୍ୱାରା ଅଫିସରେ ସର୍ବନିମ୍ନ ସାଢେ଼ ୭ ଘଣ୍ଟା ଉପସ୍ଥିତ ରହିବେ। ଏହା ସହ ସବୁ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ଯେଉଁ ମାନଙ୍କର ପଞ୍ଚ ଆଉଟ ନଥିବ ସେମାନଙ୍କର ସେଦିନ ଅନୁପସ୍ଥିତ ବୋଲି ମନେ କରାଯିବ। ସେହିପରି ଅପ୍ରତ୍ୟାଶିତ ଭାବେ ୩୦ ମିନିଟ୍ ବିଳମ୍ବ ହେଲେ ଚଳିବ। କିନ୍ତୁ ୧୧ଟା ପରେ ଅଫିସ୍ ଗଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ।
ଆବଶ୍ୟକ ଅନୁସାରେ କାର୍ଯ୍ୟ ସମୟ ପୂରଣ ନ ହେଲେ ଅଧା ଦିନର କାଜୁଆଲ ଛୁଟି କାଟିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ଚେତାବନୀ ଦେଇଛି। ଜରୁରୀକାଳୀନ ପରିସ୍ଥିତି କିମ୍ବା ସରକାରୀ ଗସ୍ତ ସମୟରେ କର୍ମଚାରୀମାନେ ସେମାନଙ୍କ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବା ଆବଶ୍ୟକ ବୋଲି କୁହାଯାଇଛି।