ଆରଜେଡିରେ କମ୍ପନ: ରାଜନୀତିରେ ଛନ୍ଦି ହେଲା ବ୍ୟକ୍ତିଗତ ଜୀବନ
ବଡ଼ ପୁଅଙ୍କୁ ଦଳରୁ ବହିଷ୍କାର କଲେ ଲାଲୁ
ସାନ ପୁଅ ତେଜସ୍ଵୀ କହିଲେ ସହି ପାରୁନି
ପାଟନା, ୨୫/୦୫: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ଦେଖା ଦେଇଛି କମ୍ପନ। ପାରିବାରିକ ବିବାଦ ବର୍ତ୍ତମାନ ରାଜନୀତିରେ ଫସି ଯାଇଛି। ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ଦାୟିତ୍ୱହୀନ ଆଚରଣ ଏବଂ ପରିବାରର ମୂଲ୍ୟବୋଧ ଓ ଜନସାଧାରଣଙ୍କ ମର୍ଯ୍ୟାଦାରୁ ବିଚ୍ୟୁତି ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି।
ଏହାର ଗୋଟିଏ ଦିନ ପୂର୍ବରୁ ଅନୁଷ୍କା ଯାଦବଙ୍କ ସହ ତେଜପ୍ରତାପ ଦୀର୍ଘଦିନର ସମ୍ପର୍କ ବିଷୟରେ ଫେସବୁକରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ସେମାନେ ଗତ ୧୨ ବର୍ଷ ଧରି ପ୍ରେମରେ ଅଛନ୍ତି ଏବଂ ସମ୍ପର୍କରେ ଅଛନ୍ତି।
ତେବେ ଆଜି ଲାଲୁ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି କହିଛନ୍ତି, ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ଦଳର ସାମାଜିକ ନ୍ୟାୟ ପାଇଁ ସାମୂହିକ ସଂଘର୍ଷକୁ ଦୁର୍ବଳ କରେ, ଏବଂ ତେଜ ପ୍ରତାପଙ୍କ ଆଚରଣ ପରିବାରର ମୂଲ୍ୟବୋଧ କିମ୍ବା ପରମ୍ପରା ସହିତ ସମାନ ନଥିଲା। ତେଣୁ ଉପରୋକ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ତାଙ୍କୁ ଦଳ ଓ ପରିବାରରୁ ବହିଷ୍କାର କରୁଛି। ଏବେଠାରୁ ଦଳ ଓ ପରିବାରରେ ତାଙ୍କର କୌଣସି ପ୍ରକାର ଭୂମିକା ନାହିଁ। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି” ବୋଲି ଲାଲୁ କହିଛନ୍ତି।
ତେବେ ବାପା ଓ ବଡ଼ ଭାଇଙ୍କ ମଧ୍ୟରେ ଏ ବିବାଦକୁ ନେଇ ଲାଲୁଙ୍କ ସାନ ପୁଅ ତଥା ତେଜ ପ୍ରତାପଙ୍କ ସାନ ଭାଇ ତେଜସ୍ଵୀ ଯାଦବ କହିଛନ୍ତି ଯେ, ମୋ ମତରେ ନିଜ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ଅଲଗା ରଖିବା ଉଚିତ। ମୁଁ ଏସବୁକୁ ପସନ୍ଦ କରେ ନାହିଁ କି ସହି ବି ପାରୁ ନାହିଁ। ଭାଇ ବଡ଼ ଏବଂ ସେ ନିଜେ ନିଷ୍ପତ୍ତି ନେବାର ଅଧିକାର ଅଛି। କିନ୍ତୁ ଦଳର ସଭାପତି ଲାଲୁଜୀ ମଧ୍ୟ ଏକ ଟୁଇଟ୍ ଜରିଆରେ ନିଜର ଚିନ୍ତାଧାରା ସ୍ପଷ୍ଟ କରିଛନ୍ତି। ସେ ଯାହା ଠିକ୍ ଭାବିଲେ ତାହା କଲେ। ଏ ସମ୍ପର୍କରେ ମୁଁ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲି” ବୋଲି ତେଜସ୍ୱୀ ଯାଦବ କହିଛନ୍ତି।
ସୂଚନାଯୋଗ୍ୟ, ସେଦିନ ତେଜ ପ୍ରତାପ କିଛି ସମୟ ପରେ ଏହି ଖବର ବିଷୟରେ କହିଥିଲେ ଯେ, ମୋର ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୟାକ୍ ହୋଇଛି ଏବଂ ମୋତେ ଏବଂ ମୋ ପରିବାରକୁ ହଇରାଣ ଏବଂ ବଦନାମ କରିବା ପାଇଁ ମୋ ଫଟୋଗୁଡ଼ିକୁ ଅନୁପଯୁକ୍ତ ଭାବେ ଏଡିଟ୍ କରାଯାଉଛି। ମୁଁ ମୋର ଶୁଭେଚ୍ଛୁ ଏବଂ ଅନୁଗାମୀମାନଙ୍କୁ ନିବେଦନ କରୁଛି ଯେ ସେମାନେ ସତର୍କ ରୁହନ୍ତୁ ଏବଂ କୌଣସି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ।