ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତରେ ଓଡ଼ିଆ ପୁଅ

ହର୍ଷବର୍ଦ୍ଧନଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୫/୦୫: ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଗଞ୍ଜାମର ଓଡ଼ିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତରେ ଖୁବ ପ୍ରଶଂସା କରିଛନ୍ତି।

‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ “ହର୍ଷବର୍ଦ୍ଧନ ସାହୁ ନିଜ ଚମତ୍କାର ପ୍ରଦର୍ଶନ ଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିପାରିଛନ୍ତି। ଏଥର ଖେଲୋ ଇଣ୍ଡିଆରେ ମୋଟ ୨୬ଟି ରେକର୍ଡ କରାଯାଇଛି। ଭାରୋତ୍ତୋଳନ ପ୍ରତିଯୋଗିତାରେ ମହାରାଷ୍ଟ୍ରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଓ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିନେଇଥିଲା।”

ନିକଟରେ ଭାରୋତ୍ତୋଳନ ୪୯ କିଲୋଗ୍ରାମ ବର୍ଗରେ ହର୍ଷବର୍ଦ୍ଧନ ସାହୁ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିଲେ। ସେ ଝାଡ଼ଖଣ୍ଡର ବାବୁଲାଲ ହେମ୍ବ୍ରମଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରି ୧୧୪ କିଲୋଗ୍ରାମ ଓଜନ ଉଠାଇଥିଲେ।