ନୂଆଦିଲ୍ଲୀ, ୨୫/୦୫: ଜାପାନଠୁ ଟପିଲା ଭାରତ। ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି।
“ଆମେ ଚତୁର୍ଥ ବୃହତ୍ତମ ଅର୍ଥନୀତି। ଆମେ ଏକ ୪ ଟ୍ରିଲିୟନ ଡଲାର ଅର୍ଥନୀତି। ଏହା ମୁଁ କହୁନି, ଏହା ଆଇଏମଏଫ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି) କହୁଛି।” ଦଶମ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସୁବ୍ରମଣ୍ୟମ।
ସୁବ୍ରମଣ୍ୟମ କହିଛନ୍ତି, “କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଓ ଜର୍ମାନୀ ଏବେ ଆମଠାରୁ ଆଗରେ ଅଛନ୍ତି। ଯଦି ଆମେ ବର୍ତ୍ତମାନର ଯୋଜନା ଓ ଚିନ୍ତାଧାରାକୁ ବଜାୟ ରଖୁ ତେବେ ଆମେ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପାଇଁ ମାତ୍ର ଅଢେଇରୁ ୩ ବର୍ଷର ଲାଗିବ।”
ଚଳିତ ମାସ ପ୍ରାରମ୍ଭରେ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ ରିପୋର୍ଟରେ ଆଇଏମଏଫ କହିଥିଲା ଯେ ୨୦୨୫ରେ ଭାରତ ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଜାପାନର ଆନୁମାନିକ ଜିଡିପି ୪,୧୮୬.୪୩୧ ବିଲିୟନ ଡଲାରକୁ ଟପି ଭାରତର ଜିଡିପି ୪,୧୮୭.୦୧୭ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା।
ଏହି ଦ୍ରୁତ ଅଭିବୃଦ୍ଧି ୨୦୨୮ ସୁଦ୍ଧା ଭାରତର ଜିଡିପି ୫,୫୮୪.୪୭୬ ବିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି। ଏବଂ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ବିଶ୍ୱ ବାଣିଜ୍ୟ ଯୁଦ୍ଧର ଶିକାର ହୋଇ ଜର୍ମାନୀ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହେବ। ୨୦୨୫ରେ ଜର୍ମାନୀର ଜିଡିପି ଅଭିବୃଦ୍ଧି ହେବ ନାହିଁ ଏବଂ ୨୦୨୬ରେ ଏହା ସାମାନ୍ୟ ୦.୯% ବଢିବ। ୨୦୨୮ ସୁଦ୍ଧା ଜର୍ମାନୀର ଜିଡିପି ୫,୨୫୧.୯୨୮ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ସେହିପରି ବିଶ୍ୱର ସର୍ବବୃହତ ଅର୍ଥନୀତି ଭାବେ ପରିଗଣିତ ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପି ୨୦୨୫ରେ ୩୦,୫୦୭.୨୧୭ ବିଲିୟନ ଡଲାର ଏବଂ ଚୀନର ଜିଡିପି ୧୯,୨୩୧.୭୦୫ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।