ଭିନ୍ନକ୍ଷମଙ୍କୁ ବିବାହିତ ବ୍ୟକ୍ତିଙ୍କୁ ତୁରନ୍ତ ପ୍ରୋତ୍ସାହନ ରାଶି ଯୋଗାଅ

ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮/୦୫: ସାଧାରଣ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପାଇଁ ଦିଆ ଯାଉଥିବା ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆଜି ବିଭାଗୀୟ ଅଧିକାରୀମାନଙ୍କୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୭ ଦିନ ମଧ୍ୟରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗର କାର୍ଯ୍ୟ ସମୀକ୍ଷା କରିବା ବେଳେ ମୁଁ ଜାଣିବାକୁ ପାଇଲି ଯେ ଅନେକ ଲୋକ ଦୀର୍ଘ ଦିନ ଧରି ଆବେଦନ କରିଛନ୍ତି କିନ୍ତୁ ରାଜ୍ୟ ସରକାର ପ୍ରଦାନ କରୁଥିବା ଆର୍ଥିକ ପ୍ରୋତ୍ସାହନ ରାଶି ଏପର୍ଯ୍ୟନ୍ତ ପାଇନାହାଁନ୍ତି। ଯୋଗ୍ୟ ବ୍ୟକ୍ତିମାନଙ୍କୁ ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସାମାଜିକ ସଦଭାବନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଣେ ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରିଥାନ୍ତି। ଦମ୍ପତି ମାନେ ବିବାହ ପଞ୍ଜୀକରଣ କରିବା ସହିତ ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ଆବେଦନ କରିବା ପରେ ଯାଞ୍ଚ କରାଯାଇ ସେମାନଙ୍କ ଆକାଉଣ୍ଟକୁ ନିର୍ଦ୍ଦିଷ୍ଟ ୨ ଲକ୍ଷ ୫୦ ହଜାର ଟଙ୍କା ପଠାଯାଇଥାଏ।