ନୂଆଦିଲ୍ଲୀ, ୩୧/୦୫: ଓଡ଼ିଶା ଲୋକସେବା ଆୟୋଗ ଉପରେ ବର୍ଷିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଓଜେଏସ ମୂଲ୍ୟାୟନ ପ୍ରକ୍ରିୟାରେ ଭୁଲ ସ୍ୱୀକାର କରି ନଥିବାରୁ ଓପିଏସସି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓପିଏସସି ପକ୍ଷରୁ ଦାୟର ଆବେଦନକୁ ଖାରଜ କରି ଦେଇଛନ୍ତି।
ଓଜେଏସ ୨୦୨୨ ପରୀକ୍ଷାର୍ଥୀ ଜ୍ୟୋତିର୍ମୟୀ ଦତ୍ତଙ୍କୁ ପରୀକ୍ଷା ଖାତାର ମୂଲ୍ୟାୟନରେ ତ୍ରୁଟି ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମିଶନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଓପିଏସସି ଉପରେ କଡ଼ା ଟିପ୍ପଣୀ ରଖିଥିଲେ। ସୁପ୍ରିମକୋର୍ଟରେ ଏହାକୁ ଓପିଏସସି ପକ୍ଷରୁ ଚ୍ୟାଲେଞ୍ଜ କରା ଯାଇଥିଲା। ଓପିଏସସି ବିରୋଧରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନକରାତ୍ମକ ମନ୍ତବ୍ୟ ହଟାଇବାକୁ କମିଶନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷା ଖାତାର ମୂଲ୍ୟାୟନରେ କମିଶନ ଏଭଳି ଗୁରୁତର ତ୍ରୁଟି କରି ପାରିବେ ନାହିଁ। ମୂଲ୍ୟାୟନରେ ଏଭଳି ତ୍ରୁଟିକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ। ଏଥିପାଇଁ କମିଶନଙ୍କୁ ଦାୟୀ କରାଯିବା ଉଚିତ୍।
ଜଷ୍ଟିସ ଦୀପଙ୍କର ଦାସ ମନ୍ତବ୍ୟ ଦେଇଛନ୍ତି ଯେ, ଯଦି ଆପଣ ପ୍ରଥମରୁ ମାନିଥାନ୍ତେ ଯେ ଆମ ପକ୍ଷରୁ କିଛି ଭୁଲ ହୋଇଛି, ତେବେ ଏହି ମାମଲା ସେହିଠାରେ ହିଁ ପରିସମାପ୍ତି ହୋଇଥାନ୍ତା। ତେବେ ହାଇକୋର୍ଟ ଓପିଏସସି ଉପରେ ଦେଇଥିବା ନକରାତ୍ମକ ମନ୍ତବ୍ୟକୁ ଭବିଷ୍ୟତରେ ମାମଲା ଗୁଡିକ ପାଇଁ ନଜିର ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଓପିଏସସିକୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି, ଓପିଏସସିରେ ଅଛନ୍ତି କିଛି ଅହଙ୍କାରୀ ବ୍ୟକ୍ତି। କମିଶନ ଖୁବ ଜିଦଖୋର। ନିଜକୁ ବହୁତ ବଡ଼ ବୋଲି ଭାବୁଛନ୍ତି। ଏଥିପାଇଁ ଭୁଲ କଲେ ବି କମିଶନ ନିଜ ଭୁଲ୍ ସ୍ୱୀକାର କରୁ ନାହାନ୍ତି।
୨୦୨୨ ଓଡ଼ିଶା ଜୁଡିସିଆଲ ସର୍ଭିସର ଲିଖିତ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଜ୍ୟୋତିର୍ମୟୀ ଦତ୍ତ ଅଭିଯୋଗ କରିଥିଲେ ଯେ, ମୂଲ୍ୟାୟନକାରୀମାନେ ତାଙ୍କର ଗୋଟିଏ ଉତ୍ତର ଖାତା ଠିକ୍ ଭାବରେ ଦେଖି ନଥିବାରୁ ସେ ସାକ୍ଷାତକାର ରାଉଣ୍ଡପାଇଁ କଟ୍ ଅଫ୍ ରୁ ବଞ୍ଚିତ ହୋଇଥିଲେ। ସେ ଭାଇଭା ରାଉଣ୍ଡର କଟ୍ ଅଫ୍ ରୁ ମାତ୍ର ୫ ମାର୍କ ପଛରେ ପଡ଼ିଯାଇଥିଲେ।
ସେ ତାଙ୍କ ପିଟିସନରେ ସେ ଦାବି କରିଥିଲେ ଯେ ଲ ଅଫ୍ ପ୍ରପର୍ଟି ପେପରରେ ଗୋଟିଏ ପ୍ରଶ୍ନର ମୂଲ୍ୟାଙ୍କନ କରାଯାଇ ନାହିଁ, ଯାହା ତାଙ୍କ ମୋଟ ମାର୍କକୁ ପ୍ରଭାବିତ କରିଛି। ଯଦି ତାଙ୍କର ଉତ୍ତରକୁ ସଠିକ୍ ଭାବରେ ଆକଳନ କରାଯାଇଥାନ୍ତା, ତେବେ ସେ ଯୋଗ୍ୟ ହୋଇଥାନ୍ତେ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ଏହାକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଓପିଏସସିକୁ ୧ ଲକ୍ଷର କ୍ଷତିପୂରଣ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓପିଏସସି ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ ନେଇ ଓପିଏସସି ଉପରେ ଖୁବ ବର୍ଷିଛନ୍ତି।