ଆଜି ରିଲିଜ୍‌ ହେବ ଫିଲ୍ମ ‘ଗୁଡବାୟ’, ବିଗ୍‌-ବିଙ୍କ ସହ ନଜର ଆସିବେ ରଶ୍ମିକା

ମୁମ୍ଵାଇ: ଆଜି ମୁକ୍ତିଲାଭ କରିଛି ଫିଲ୍ମ ‘ଗୁଡ୍‌ବାୟ’ । ଏହା ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି ‘ପୁଷ୍ପା’ ନାୟିକା ରଶ୍ମିକା ମନ୍ଦନା । ଗତକାଲି ମୁମ୍ବାଇଠାରେ ଫିଲ୍ମର ଟ୍ରେଲର୍‌ ସେ ଲଞ୍ଚ୍‌ କରିଥିଲେ । ଏ ଅବସରରେ ଫିଲ୍ମର ପ୍ରମୁଖ କଳାକାର ଅମିତାଭ ବଚ୍ଚନ, ନୀନା ଗୁପ୍ତା, ସୁନୀଲ ଗ୍ରୋଭର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ‘ଗୁଡ୍‌ବାୟ’ର ଟ୍ରେଲର୍‌ ଲଞ୍ଚ୍‌ ସମୟରେ ଅଲ୍ଲୁ ଅର୍ଜୁନ ଓ ତାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ପାଇଁ ମିଳୁଥିବା ଭଲପାଇବା ବିଷୟରେ ରଶ୍ମିକା କହିଥିଲେ ଯେ ଦେଶବାସୀ ତାଙ୍କୁ ଢେର ଭଲପାଇବା ଦେଉଛନ୍ତି ।

ତେବେ ‘ଗୁଡ୍‌ବାୟ’ରେ ଅମିତାଭ ବଚ୍ଚନଙ୍କ ସହ କାମ କରିବା ଓ ‘ପୁଷ୍ପା’ରେ ଅଲ୍ଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍‌ ଶେୟାର କରିବା ବିଷୟରେ ରଶ୍ମିକା କହିଛନ୍ତି ‘ମୁଁ ଏବେ ସ୍ୱପ୍ନରେ ବଞ୍ଚୁଛି । ଆଉ ମାତ୍ର ଦୁଇ ଦିନ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ସହ ‘ପୁଷ୍ପା-୨’ର ସୁଟିଂ ଆରମ୍ଭ କରିବି । କିନ୍ତୁ ଏବେ ଅମିତାଭ ବଚ୍ଚନଙ୍କ ସହିତ ଦର୍ଶକଙ୍କ ଆଗରେ ନିଜର ପ୍ରଥମ ବଲିଉଡ୍‌ ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ କରୁଛି । ସେ ବିଷୟରେ ମୋ ପାଖରେ ଭାଷା ନାହିଁ । ଏ ଅବସରରେ ଗଣମାଧ୍ୟମ ତାଙ୍କୁ ପଚାରିଥିଲା, ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁ କଥାକୁ ସେ ଗୁଡ୍‌ବାୟ କହିବାକୁ ଚାହିଁବେ?

ଉତ୍ତରରେ ରଶ୍ମିକା କହିଥିଲେ, କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ନିଜ ଜୀବନରୁ ଯାହା ସେ ଗୁଡ୍‌ବାୟ କହିବାକୁ ଚାହୁଁଛନ୍ତି, ତାହା ହେଉଛି ‘କୋଭିଡ୍‌-୧୯’ । ଆମ ଚତୁପାଶ୍ୱର୍ରେ ଥିବା ସମସ୍ତ ନକାରାତ୍ମକତାକୁ ସେ ଗୁଡ୍‌ବାୟ କହିବାକୁ ଚାହାଁନ୍ତି । ସେ ନିଜକୁ ଜଣେ ସୁଖୀ ଓ ସକାରାତ୍ମକ ବ୍ୟକ୍ତି ବୋଲି କହନ୍ତି । ତେଣୁ ବିଶ୍ୱ ସେହିଭଳି ହେଉ ବୋଲି ତାଙ୍କ ଇଚ୍ଛା । ଫିଲ୍ମ ଚୟନ ବିଷୟରେ ରଶ୍ମିକା କହିଛନ୍ତି ‘କ’ଣ ଭଲ ଆଉ କ’ଣ ଖରାପ, ତାହା ମୁଁ ଜାଣେ ନାହିଁ । ଲୋକେ ମୋଠୁ କ’ଣ ଆଶା କରୁଛନ୍ତି, ମୁଁ ଜାଣେନାହିଁ । ମୁଁ ଜଣେ କଳାକାର । ମୁଁ ଭଲ ଫିଲ୍ମ କରିବାକୁ ଚାହେଁ । ଏହି କାମକୁ ଉପଭୋଗ କରିବାକୁ ଚାହେଁ ।’