ଉତ୍ତର-ପୂର୍ବରେ ବନ୍ୟା ବିଭୀଷିକା ନେଲା ୩୬ ଜୀବନ

୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ, ୦୩/୦୬: ଲଗାଣ ବର୍ଷା ଯୋଗୁଁ ଉତ୍ତର ପୂର୍ବ ଦେଶର ଅନେକ ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ଉତ୍ତର-ପୂର୍ବାଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଆହୁରି ଗମ୍ଭୀର ରହିଛି। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନରେ ମୋଟ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଆସାମ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ଆସାମର ୨୨ଟି ଜିଲ୍ଲାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁତ୍ର, ବରାକ ଓ ସୁବନସିରି ସମେତ ୧୫ଟି ନଦୀକୁ ବିପଦ ସଙ୍କେତ ଜାରି କରାଯାଇଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ) କହିଛନ୍ତି ଯେ ଶ୍ରୀଭୂମି, କାଚାର ଏବଂ ନଗାଓଁ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ଟି ରିଲିଫ୍ କ୍ୟାମ୍ପରେ ୩୧ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି ଏବଂ ୯୪ଟି ପଶୁଙ୍କ ମୃତ୍ୟୁ ଘଟିଛି।

ସେହିପରି ଅରୁଣାଚଳ ପ୍ରଦେଶରେ ୧୦, ମେଘାଳୟରେ ୬, ମିଜୋରାମରେ ୫, ସିକିମରେ ୩ ଏବଂ ତ୍ରିପୁରାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସିକ୍କିମରେ ୧୬୭୮ ଜଣ ପର୍ଯ୍ୟଟକ ଫସି ରହିଛନ୍ତି।

ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ମଣିପୁରରେ ବନ୍ୟାରେ ୧୯ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରବଳ ବର୍ଷାରେ ୩୩୬୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୯,୮୧୧ ଲୋକ ବିସ୍ଥାପିତ ହୋଇଛନ୍ତି।