ସମାବେଶରେ ଯୋଗ ଦେବା ପୂର୍ବରୁ ଅଟକ ପରିବେଶବିତ୍ ମେଧା ପାଟେକର

ରାୟଗଡ଼ାରୁ ନେଇ ବ୍ରହ୍ମପୁରରେ ଛାଡ଼ିଲା ପୋଲିସ

ରାୟଗଡ଼ା, ୦୫/୦୬: ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ାର କାଶୀପୁର ବ୍ଲକ ହାଟପଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେବା ପାଇଁ ରାୟଗଡ଼ା ଆସିଥିବା ପରିବେଶବିତ୍ ମେଧା ପାଟକରଙ୍କୁ ପୁଲିସ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ସିଜିମାଲି ଖଣିରେ ଖଣି ଖନନ କାର୍ଯ୍ୟକୁ ବିରୋଧ କରିବା ପାଇଁ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା। ସୁଙ୍ଗରଠାରେ ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ ସହିତ ଖଣି କାର୍ଯ୍ୟକୁ ସ୍ଥାନୀୟ ବିରୋଧକୁ ସମର୍ଥନ କରିବା ପାଇଁ ପାଟେକର ଏହି ସମାବେଶରେ ଯୋଗ ଦେବାର ଥିଲା। ହେଲେ ପୋଲିସ ତାଙ୍କୁ ରାୟଗଡ଼ା ଷ୍ଟେସନରୁ ନେଇ ବ୍ରହ୍ମପୁରରେ ଛାଡିଛି।

ତେବେ ସେ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖି ସଭାରେ ଯୋଗ ଦେବାକୁ ବାରଣ କରିଥିଲା। ଏ ନେଇ ମେଧା ପାଟେକର କହିଛନ୍ତି, ରେଳ ଷ୍ଟେସନରେ ପୁଲିସ ମୋତେ ଅଟକାଇଥିଲା। ଆମକୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି ଦିଆଯାଉନାହିଁ। ଆମେ କୌଣସି ଆତଙ୍କବାଦୀ ନୁହଁ ବୋଲି କହିଛନ୍ତି।