ଯମ ମୁହଁରୁ ଟାଣି ଆଣିଲେ କନଷ୍ଟେବଳ
ଅକାଳରେ ସାଜିଲେ ଦେବଦୂତ
ସାହସିକତା ପାଇଁ ଡିଜିପି ଘୋଷଣା କଲେ ପୁରସ୍କାର ରାଶି; ପ୍ରଶଂସାରେ ଶତମୁଖ ବୋଥ୍ରା
କଟକ, ୦୫/୦୬: ବାସ ଟିକିଏ ଅସାବଧାନତା। ଅକାଳରେ ଚାଲି ଯାଇଥାନ୍ତା ପ୍ରାଣ। ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ। ହେଲେ ଅସମୟରେ ଦେବଦୂତ ସାଜିଲେ କନଷ୍ଟେବଳ। ୩ରୁ ୪ ସେକେଣ୍ଡ ଡେରି ହୋଇଥିଲେ ଟ୍ରେନ ଚକା ତଳେ ଚାଲି ଯାଇଥାନ୍ତା ଜୀବନ। କିନ୍ତୁ କଥାରେ ଅଛି ରଖି ହରି ତ ମାରେ କିଏ। ଠିକ୍ ସେହିପରି ଯମ ମୁହଁରୁ ଟାଣି ଆଣିଲେ କନଷ୍ଟେବଳ। ଗୋଟିଏ ବଡ଼ ଅଘଟଣରୁ ରକ୍ଷା ପାଇଗଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଟକ ରେଳ ଷ୍ଟେସନରେ।
ଆଜି ସକାଳ ୮ଟା ୫ ମିନିଟରେ ମହମ୍ମଦ ମୁଜାହିର କିଶନଗଞ୍ଜ ଅଭିମୁଖେ ଯାଉଥିବା କନ୍ୟାକୁମାରୀ-ଦ୍ରିବୁଗଡ ଏକ୍ସପ୍ରେସ ଟ୍ରେନ ନମ୍ବର ୨୨୫୦୩ରେ ଅସାବଧାନତାର ସହ ଚଢିବା ବେଳେ ଖସି ପଡ଼ିଥିଲେ। ଟ୍ରେନଟି ଚଳନ୍ତା ଅବସ୍ଥାରେ ଥିବାରୁ ସେ ଆଉ ଟ୍ରେନକୁ ଚଢ଼ି ପାରିନଥିଲେ। ଗୋଡ଼ ଖସିଯିବାରୁ ସେ ସମ୍ଭବତଃ ତଳେ ପଡ଼ି ଯାଇଥିଲେ। ମୁଜାହିର ହେଉଛନ୍ତି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ମିର୍ଜାପୁରର ବାସିନ୍ଦା। ସେ ତରବରିଆ ଭାବରେ ଚଳନ୍ତା ଟ୍ରେନକୁ ଚଢ଼ିବାକୁ ପ୍ରୟାସ କରୁଥିଲେ। ହେଲେ, ତାଙ୍କ ଗୋଡ଼ ଖସି ଯାଇଥିଲା।
ଟ୍ରେନ ଚକା ତଳକୁ ଆସିବା ପୂର୍ବରୁ ହିଁ ସେଠାରେ ଉପସ୍ଥିତ ଥିବା କର୍ତ୍ତବ୍ୟରତ କନଷ୍ଟେବଳ ଟୁଲୁ ବେହେରା ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ତାଙ୍କୁ ତଳୁ ଉପରକୁ ଟାଣି ଆଣିଥିଲେ। ପ୍ରାୟ ନିଶ୍ଚିତ ମୃତ୍ୟୁରୁ ତାଙ୍କୁ ବଞ୍ଚାଇ ଦେଇଥିଲେ। ଏହି ଦୃଶ୍ୟ ଷ୍ଟେସନରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଟୁଲୁଙ୍କ ଏହି ସାହସିକତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।
କନଷ୍ଟେବଳ ଟୁଲୁ ବେହେରାଙ୍କ ଏହି ସାହସିକତା ପାଇଁ ଡିଜିପି ୱାଇବି ଖୁରାନିଆ ୨୫୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଉପକୂଳ ସୁରକ୍ଷା ଓ ରେଳବାଇ ଏଡିଜି ଅରୁଣ ବୋଥ୍ରା କନଷ୍ଟେବଳ ଟୁଲୁ ବେହେରାଙ୍କ ସହ କଥା ହୋଇ ତାଙ୍କ ସାହସ ଓ ମନୋବଳକୁ ପ୍ରଶଂସା କରିଛନ୍ତି।