ଓଡ଼ିଆ ଅଧ୍ୟାପକ, ଓଡିଶୀ ନୃତ୍ୟ ଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ସାହାଣୀଙ୍କୁ କବି ନନ୍ଦକିଶୋର ସାମଲ ପ୍ରତିଭା ପୁରସ୍କାର

ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରୁଛନ୍ତି ଡ଼ଃ ଚିତ୍ତରଞ୍ଜନ

ଭୁବନେଶ୍ୱର, ୦୯/୦୬: ବିଶିଷ୍ଟ ମାନବବାଦୀ, ସୃଜନୀକାର କବି ନନ୍ଦକିଶୋର ସାମଲ ସ୍ମୃତି ସଂସଦ ତରଫରୁ ୨୦୨୫ ମସିହା ପାଇଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଆନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ସାହାଣୀଙ୍କୁ ପୁରସ୍କୃତ କରାଯାଇଛି। ସଂସଦ ଅଧ୍ୟକ୍ଷ ଅଧ୍ୟାପକ ଗଣେଶ୍ଵର ସ୍ୱାଇଁଙ୍କ ପୌରହିତରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ କଟକଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାରତୀୟ ପ୍ରଶାସନିକ ଅଧିକାରୀ ରତ୍ନାକର ରାଉତ, ମୁଖ୍ୟବକ୍ତା ସ୍ନାୟୁଶଲ୍ୟ ଚିକିତ୍ସକ ଡକ୍ଟର ରବି ନାରାୟଣ ପଣ୍ଡା, ସମ୍ମାନିତ ବକ୍ତା ଡଃ ନୃସିଂହଚରଣ ବେହେରା, ଓଡିଆ ପ୍ରାଧ୍ୟାପକ ଡଃ ଅଜୟ କୁମାର ମିଶ୍ର, କବି ବ୍ରହ୍ମାନନ୍ଦ ବିଶ୍ଵାଳ, କବି ରାଜୀବ ଷଡଙ୍ଗୀ ଯୋଗଦେଇ ଡକ୍ଟର ଚିତ୍ତରଞ୍ଜନଙ୍କୁ ଭୂୟସୀ ପ୍ରଶଂସା ସହ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଡକ୍ଟର ଚିତ୍ତରଞ୍ଜନ ମଧ୍ୟଯୁଗୀୟ ଓଡ଼ିଆ କାବ୍ଯ କବିତା ବିଶେଷକରି ରୀତି ଓ ଗୀତି ଯୁଗୀୟ କବିମାନଙ୍କର ଛାନ୍ଦ, ଚଉପଦୀ ସୃଜନିକାକୁ ଆଧାର କରି ଓଡିଶୀ ନୃତ୍ୟ ଶୈଳୀରେ ବିଶେଷନୃତ୍ୟ ପରିବେଷଣ କରି ଦେଶ ବିଦେଶର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଯୁବଗୋଷ୍ଠୀଙ୍କ ପାଖରେ ଓଡ଼ିଆ ସାହିତ୍ୟକୁ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ମାଧ୍ୟମରେ ପ୍ରଚାର ପ୍ରସାର କରି ଯୁବବର୍ଗଙ୍କ ପ୍ରଥମ ପସନ୍ଦ ହେବାରେ ଲାଗିଛନ୍ତି।