ବଡ଼ ଅପଡେଟ: ପୁଣି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ସ୍ଥଗିତ
ଏଇ ଦିନ ମହାକାଶକୁ କରିବେ ଯାତ୍ରା
ଏଇ କାରଣ ପାଇଁ ଘୁଞ୍ଚାଗଲା ତାରିଖ, ଆସିଲା ଫାଇନାଲ ଡେଟ୍!
ନୂଆଦିଲ୍ଲୀ, ୦୯/୦୬: ସ୍ଥଗିତ ରହିଲା ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା। ଆକ୍ସିୟମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍)କୁ ଯାତ୍ରା ପୁଣି ଥରେ ସ୍ଥଗିତ ହୋଇଛି। ଏ ନେଇ ଏକ୍ସରେ ସୂଚନା ଦେଇଛି ଭାରତୀୟ ମହାକାଶ ଓ ଗବେଷଣା ସଂଗଠନ (ଇସ୍ରୋ)।
ଉତକ୍ଷେପଣ ପାଇଁ ପାଇଁ ଅନୁକୂଳ ନଥିବାରୁ ଏହି ଯାତ୍ରାକୁ ଆଉ ଦିନକ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଇସ୍ରୋ କହିଛି।
ପ୍ରଥମେ ଏହି ମହାକାଶ ଉଡ଼ାଣ ମେ ୨୯ ତାରିଖରେ ସ୍ଥିର କରାଯାଇଥିଲା। ଏହା ପରେ ତାରିଖକୁ ଘୁଞ୍ଚା ଯାଇ ଜୁନ ୮ ପାଇଁ ପୁନଃନିର୍ଦ୍ଧାରିତ କରାଯାଇଥିଲା। ପୁଣି ତୃତୀୟ ଥର ଲାଗି ବୈଷୟିକ ତ୍ରୁଟି ପାଇଁ ଜୁନ ୧୦କୁ ଘୁଞ୍ଚା ଯାଇଥିଲା। ହେଲେ, ୧୦ ତାରିଖରେ ପାଗ ପ୍ରତିକୂଳ ଥିବାରୁ ଚତୁର୍ଥ ଥର ପାଇଁ ଉଡ଼ାଣ ତାରିଖ ବଦଳା ଯାଇଛି।
ସଦ୍ୟତମ ସୂଚନା ମୁତାବକ, ଆସନ୍ତା ଜୁନ୍ ୧୧ ତାରିଖରେ ସନ୍ଧ୍ୟା ୫ଟାରେ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିବ। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀମାନେ ଜୁନ୍ ୧୧ତାରିଖରେ କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେଶଏକ୍ସର ଫାଲକନ୍-9 ରକେଟରେ ଯାତ୍ରା କରିବେ।
ଏହି ଅଭିଯାନ ହେଉଛି ଆକ୍ସିୟମ୍ ସ୍ପେସ୍, ନାସା, ସ୍ପେସ୍ ଏକ୍ସ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମିଳିତ ପ୍ରୟାସ। ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISS ଗସ୍ତ କରିବାକୁ ଥିବାରୁ ଏହି ମିଶନ ଭାରତ ପାଇଁ ବେଶ ଗୁରୁତ୍ବ ବହନ କରେ।
ଆକ୍ସିୟମ୍-୪ ମିଶନ ଆରମ୍ଭ ହେବା ପରେ ମହାକାଶଚାରୀମାନେ ISSରେ ୧୪ ଦିନ ପର୍ଯ୍ୟନ୍ତ ସମୟ ଅତିବାହିତ କରିବେ ଏବଂ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବେ। ଏହି ପରୀକ୍ଷଣଗୁଡ଼ିକ ମାଇକ୍ରୋଗ୍ରାଭିଟି, ଜୀବ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନରେ ଉପରେ ରହିବ। ଯାହା ୩୦ଟି ଦେଶର ବୈଜ୍ଞାନିକଙ୍କୁ ସହଯୋଗ କରିବା।
୧୯୮୪ ମସିହାରେ ଋଷର ସୋୟୁଜ୍ ସ୍ପେଶକ୍ରାଫ୍ଟରେ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ। ୪୦ ବର୍ଷ ପରେ ମହାକାଶରେ ପାଦ ଥାପିବେ ଭାରତୀୟ। ଦୀର୍ଘ ୪ ଦଶନ୍ଧିର ବ୍ୟବଧାନ ପରେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯିବେ ଶୁଭାଂଶୁ ଶୁକ୍ଳା। ଏଥିରେ ମିଶନ୍ ପାଇଲଟ୍ ବନିବେ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା। ତାଙ୍କ ବ୍ୟତୀତ ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ, ପୋଲାଣ୍ଡର ଦୁଇ ଜଣ ମିଶନ ବିଶେଷଜ୍ଞ ସ୍ଲାଭୋସ୍ଜ ଉଜନାନସ୍କି-ୱିସ୍ନିଓ୍ଵସ୍କି ଏବଂ ହଙ୍ଗେରୀର ଟିବୋର୍ କାପୁ ମଧ୍ୟ ଯିବେ।