ଯାଜପୁରରେ ଡାଇରିଆ; ୯ ମୃତ
ସ୍ବାସ୍ଥ୍ୟ ବିଭାଗର ଯାଜପୁର ଜିଲ୍ଲାରେ ଯୁଦ୍ଧକାଳୀନ ସ୍ବାସ୍ଥ୍ୟ ସେବା
ରାଜ୍ୟ ସ୍ତରରୁ ରାପିଡ୍ ଆକ୍ସନ୍ ଟିମ୍ ଏବଂ ଅଧିକ ବିଶେଷଜ୍ଞ ମୁତୟନ
ଭୁବନେଶ୍ବର, ୧୨/୦୬: ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରେ ପୀଡ଼ିତ ହୋଇ ୫୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହେଲାଣି। ଦୁଇ ମ୍ୟୁନିସିପାଲଟି, ଧର୍ମଶାଳା, ରସୁଲପୁର, କୋରେଇ ଓ ଦାନଗଦିରେ ଭୟାନକ ଭାବେ ବ୍ୟାପୁଛି ଡାଇରିଆ। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ରୋଗୀଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦାନଗଦି ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ବ୍ଲକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ରୋଗର ଚିକିତ୍ସା ଓ ନିରାକରଣ ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଯୁଦ୍ଧକାଳୀନ ଭିଭିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଭାବିତ ଧର୍ମଶାଳା, ବ୍ୟାସନଗର ପୌରାଞ୍ଚଳ, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଜନସ୍ବାସ୍ଥ୍ୟ ଟିମ୍ ମାନେ ବିଭିନ୍ନ କାର୍ଯ୍ୟକ୍ରମ କୁ ବ୍ୟାପକ କରିଛନ୍ତି ।
ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅଶ୍ବଥ୍ ଏସ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ବାସ୍ଥ୍ୟସେବା ଏବଂ ଜନ ସ୍ବାସ୍ଥ୍ୟସେବା ଟିମ୍ ମାନେ ସମନ୍ବିତ ଭାବେ କ୍ଷେତ୍ରସ୍ଥରୀୟ କାର୍ଯକ୍ରମକୁ ସଘନ ଓ ଲକ୍ଷଭେଦୀ କରିଛନ୍ତି । ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ବତନ୍ତ୍ର ଭାବେ ୨ଟି ରାପିତ ଆକ୍ସନ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜିଲ୍ଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜ୍ୟସ୍ତରୀୟ ଟିମ୍ ରେ ଡାକ୍ତର, ମାଇକ୍ରୋବାୟୋଲୋଜି ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀ ଆଦିଙ୍କୁ ସାମିଲ କରାଯାଇଛି । ସମନ୍ବିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦ୍ଦେଶକ ନିଜ ଟିମ୍ ସହ ମଧ୍ଯ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି।
ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ସେବା ନିମନ୍ତେ ନିୟୋଜନ କରାଯାଇଛି । ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଏହି ଚିକିତ୍ସାଳୟମାନଙ୍କୁ ଯଥେଷ୍ଟ ପରିମାଣର ଔଷଧ, ସଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମଡ଼ିକାଲରେ ଚିକିତ୍ସା କରାଯାଉଛି । ରେଫର ହୋଇଆସିଥିବା ରୋଗୀମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍.ସି.ବି. ର ଅଧ୍ୟକ୍ଷଙ୍କୁ କୁହାଯାଇଛି ।
ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଟିମ୍ କ୍ଷେତ୍ରସ୍ତରରେ ସମସ୍ତ ପାନୀୟ ଜଳ ସ୍ରୋତ ଓ ଜଳ ଉତ୍ସକୁ ବିଶୋଧ କରୁଛନ୍ତି । ଖାଦ୍ୟ ତନଖ ଟିମ୍ ଏବଂ ରୋଗ ନିରୀକ୍ଷଣ ଟିମ୍ କ୍ଷେତ୍ରସ୍ତରରେ ସେମାନଙ୍କର କାର୍ଯ୍ୟକ୍ରମକୁ ସଘନ କରିଛନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗଖଡ଼ି କର୍ମୀ, ବହୁମୁଖ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଯଥେଷ୍ଟ ପରିମାଣର ହାଲୋଜେନ୍ ବଟିକା, ଓ.ଆର.ଏସ୍ ପ୍ୟାକେଟ, ଔଷଧ ଓ ସଚେତନତା ବାର୍ଭା ସମନ୍ବିତ ସୂଚନାପତ୍ର ଆଦି ଲୋକମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଦ୍ବାରା ଗଣ ସଚେତନତା, ମାଇକ ମାଧ୍ୟମରେ ସୂଚନା ପ୍ରଚାର ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।
ସଂକ୍ରମଣରୁ ସୁରକ୍ଷିତ ରହିବ ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା, ବାହାରର ଦୂଷିତ ଖାଦ୍ୟ ନ ଖାଇବା, ନିରାପଦ ଜଳ ପିଇବା ଏବଂ ସ୍ବାସ୍ଥ୍ୟ ସୁରକ୍ଷା ଜନିତ ଅଭ୍ୟାସ ଆଦିକୁ ଆପଣେଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । କ୍ଷେତ୍ରସ୍ତରୀୟ ବାସ୍ତବ ସ୍ଥିତିକୁ ସକ୍ରିୟ ଭାବେ ଅନୁଧ୍ୟାନ, ନିରୀକ୍ଷଣ ଓ ପରିଚାଳନା କରାଯାଉଛି ।