ବିମାନ ଦୁର୍ଘଟଣା: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

ସୂଚନା ଦେଲେ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ

ନୂଆଦିଲ୍ଲୀ, ୧୨/୦୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଏ ନେଇ ଗୁଜରାଟର ବିଜେପି ରାଜ୍ୟ ସଭାପତି ସିଆର ପାଟିଲ କହିଛନ୍ତି।

ସିଆର ପାଟିଲ ବିମାନ ଦୁର୍ଘଟଣାକୁ ଏକ ଦୁଃଖଦ ଘଟଣା ବୋଲି କହିବା ସହ ମୃତକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ଏକ୍ସରେ ସେ କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଦେହାନ୍ତ ହୋଇଛି। ଭଗବାନ ସମସ୍ତ ଦିବଂଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ଏବଂ ମୃତକଙ୍କ ପରିବାରକୁ ଶକ୍ତି ଓ ଶାନ୍ତି ଦିଅନ୍ତୁ।”

ଉଲ୍ଲେଖଯୋଗ୍ୟ, ୨୦୧୬ରୁ ୨୦୨୧ ସେପ୍ଟେମ୍ବର ଯାଏଁ ବିଜୟ ରୂପାନୀ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହା ପୂର୍ବରୁ ୧୯୯୬ରୁ ୧୯୯୭ ଯାଏଁ ରାଜକୋଟ ମେୟର, ୨୦୦୬ରୁ ୨୦୧୨ ଯାଏଁ ରାଜ୍ୟସଭା ସାଂସଦ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଗୁଜୁରାଟ ବିଜେପି ସଭାପତି ରହିଥିଲେ।

ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଉଡ଼ାଣ ଭରିବାର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୨ ଜଣ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୧୪୨ ଜଣ ଯାତ୍ରୀ ଥିଲେ। ଏଯାବତ୍ ଏହି ଦୁର୍ଘଟଣାରେ ୨୦୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।