ମୃତ୍ୟୁକୁ ମାତ ଦେଲେ ବିଶ୍ୱାସ: ବଞ୍ଚାଇ ଦେଲା ସିଟ୍ 11A
୨୪୨ ଯାତ୍ରୀଙ୍କ ମଧ୍ୟରେ ବର୍ତ୍ତିଗଲା ଗୋଟିଏ ଜୀବନ
ଦୁର୍ଘଟଣାର ଏକମାତ୍ର ମୁକସାକ୍ଷୀ; କେମିତି ବଞ୍ଚିଲେ ବଖାଣିଲେ ସେହି ହୃଦୟ ବିଦାରକ ଘଟଣା
ନୂଆଦିଲ୍ଲୀ, ୧୩/୦୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତରେ ବଞ୍ଚି ଯାଇଛି ଗୋଟିଏ ଜୀବନ। ଦୁର୍ଘଟଣାର ଗୋଟିଏ ଦିନ ପରେ ଏକମାତ୍ର ବଞ୍ଚିଥିବା ବିଶ୍ୱାସ କୁମାର ରମେଶ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଗତକାଲିର ହୃଦୟ ବିଦାରକ ଘଟଣାକୁ ଗୋଟି ଗୋଟି କରି ବଖାଣିଛନ୍ତି। ପ୍ଲେଟରେ ଥିବା ପ୍ରତିଟି ବ୍ୟକ୍ତିଙ୍କ ଜୀବନ କିଛି ସେକେଣ୍ଡରେ ଛାରଖାର ହୋଇ ଯାଇଥିବା ବେଳେ ସେ କିପରି ଚମତ୍କାର ଭାବରେ ବଞ୍ଚି ଯାଇଛନ୍ତି ସେହି ଦୁଃଖଦ ମୁହୂର୍ତ୍ତକୁ ବର୍ଣ୍ଣନା କରିଛନ୍ତି। ସେ ହେଉଛନ୍ତି ଏହି ଦୁର୍ଘଟଣାର ଏକ ମାତ୍ର ମୂକ ସାକ୍ଷୀ।
ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ଦୁର୍ଘଟଣାଗ୍ରସ୍ତ ବିମାନର ଇକୋନୋମି ସେକ୍ସନର ବାମ ପାର୍ଶ୍ୱ ଝରକା ପାଖରେ ଏକ ଜରୁରୀକାଳୀନ ପ୍ରସ୍ଥାନ ନିକଟରେ ୧୧ଏ ସିଟରେ ବସିଥିଲେ।
ସେ କହିଛନ୍ତି, “ମୁଁ ବିଶ୍ୱାସ କରିପାରୁନାହିଁ ଯେ ମୁଁ କିପରି ଜୀବିତ ବାହାରିଲି। ଗୋଟିଏ ମୁହୂର୍ତ୍ତ ପାଇଁ ମୋତେ ଲାଗୁଥିଲା ଯେମିତି ମୁଁ ମରିବାକୁ ଯାଉଛି। କିନ୍ତୁ ଯେତେବେଳେ ମୁଁ ଆଖି ଖୋଲି ଚାରିଆଡ଼େ ଚାହିଁଲି, ମୁଁ ଅନୁଭବ କଲି ଯେ ମୁଁ ଜୀବିତ ଅଛି। ମେଘାନୀ ନଗର ଅଞ୍ଚଳରେ ପ୍ରଭାବ ପଡ଼ିବା ପରେ ଘଟିଥିବା ଘଟଣାକ୍ରମକୁ ମନେ ପକାଇ ବିଶ୍ୱେଶ କୁମାର କହିଛନ୍ତି, ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ମୁଁ କେମିତି ବଞ୍ଚିଲି।
ସେ କହିଛନ୍ତି, “ଯେତେବେଳେ ବିମାନଟି ଉଡ଼ାଣ ଭରିଲା, ୫ରୁ ୧୦ ସେକେଣ୍ଡ ଭିତରେ ଲାଗୁଥିଲା ଯେମିତି ଏହା ଆକାଶରେ ଅଟକି ରହିଛି। ହଠାତ୍ ସବୁଜ ଓ ଧଳା ରଙ୍ଗର ଲାଇଟ୍ ଜଳିଲା, ତା’ପରେ ବିମାନଟି ଏକ କୋଠାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ମୁଁ ମୋ ନିଜକୁ ଭୂମିରେ ଦେଖିଥିଲି। ତା’ପରେ ମୋତେ ଲାଗିଲା ଯେ, ମୁଁ ମୋ ନିଜକୁ ସେଥିରୁ ବାହାର କରି ପାରିବି। ତେଣୁ ନିଜକୁ ବାହାର କରିବାକୁ ଚେଷ୍ଟା କଲି ଓ ସେଠୁ ବାହାରିଲି। ମୋ ଆଖିର ସାମ୍ନାରେ ଲୋକଙ୍କୁ ମରିବାର ଦେଖିଲି। ମୋର ବାମ ହାତ ପୋଡି ଯାଇଛି। ମୁଁ ଜାଣିନି ମୁଁ କେମିତି ବଞ୍ଚିଲି।”
ସୂଚନାଯୋଗ୍ୟ, ଗତ କାଲି ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ବିମାନଟି ଉଡ଼ାଣ ଭରିବାର ୩୩ ସେକେଣ୍ଡ ପରେ ବିମାନ ବନ୍ଦର ନିକଟରେ ଥିବା ଏକ ମେଡ଼ିକାଲ ହଷ୍ଟେଲ ଉପରେ ଖସି ପଡ଼ିଥିଲା। ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗିଜ ନାଗରିକ ଏବଂ ଜଣେ କାନାଡାର ନାଗରିକ ଥିଲେ। ଯାତ୍ରୀଙ୍କ ମଧ୍ୟରେ କେବଳ ବିଶ୍ୱାସଙ୍କୁ ଛାଡି ଦେଲେ ଅନ୍ୟମାନଙ୍କ ଜୀବନ ହାନୀ ହୋଇଥିଲା। ଯେଉଁ ମେଡିକାଲ ହଷ୍ଟେଲ ଉପରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରେ ଥିବା କିଛି ଡାକ୍ତରୀ ଛାତ୍ରଙ୍କ ମଧ୍ୟ ମୃତ୍ୟୁ ହୋଇଛି।